Latest Odisha News

BREAKING NEWS

Subhadra Mela: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା; ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧ରୁ ସୁଭଦ୍ରା ଶକ୍ତି ମେଳା। ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଦର୍ଶନୀ ପଡିଆରେ ନଭେମ୍ବର ୧ରୁ ୧୨ ଯାଏ ଚାଲିବ କାର୍ଯ୍ୟକ୍ରମ। ରାଜ୍ୟର ୩୦୦ରୁ ଅଧିକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେବେ। ଓଡ଼ିଶା ବ୍ୟତୀତ ଆଉ ୧୧ଟି ରାଜ୍ୟର ମହିଳାମାନଙ୍କୁ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ। ଏହି ମେଳାରେ ୫୦ଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି। ଦେଶର ୧୧ଟି ଅନ୍ୟାନ୍ୟ ରାଜ୍ୟ ଯଥା ପଞ୍ଜାବ, ଝାଡଖଣ୍ଡ, ଆନ୍ଧ୍ର ପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳା କେବଳ କ୍ରୟ ବିକ୍ରୟର ମଞ୍ଚ ନୁହେଁ, ବରଂ ନାରୀମାନଙ୍କର ଆତ୍ମବିଶ୍ଵାସ, ସଫଳତା ଓ ସାମାଜିକ ସଶକ୍ତିକରଣର ଏକ ଉଜ୍ଜ୍ଵଳ ପ୍ରତୀକ।

ଏହି ମେଳାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହେବ। ପରିଦର୍ଶକ ଅତିଥିମାନେ ଏଠାରେ ଲୁଗାପଟା, ଖାଦ୍ୟଶସ୍ୟ, ଗୃହ ସାଜସଜ୍ଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର କିଣିପାରିବେ। ଏହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ଵାର ଖୋଲିବେ। ୧୨ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଅନୁଭବ କରିବେ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ଵାଦର ଅନୁପମ ସଂଗମ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ, ଛଉ, ଗୀତି ନାଟ୍ୟ, ମଲଖମ୍ବ, ଗୋଟିପୁଅ, ରଣପା, ସମ୍ବଲପୁରୀ ନୃତ୍ୟ, ପୁରୀର ଯୋଡି ଶଙ୍ଖ ନୃତ୍ୟ, ବିହୁ, ସଂଗୀତ ସନ୍ଧ୍ୟା ଏବଂ ପାଲା ଇତ୍ୟାଦି। ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକ ମାନେ ୫୦ଟି ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍ ଭିତ୍ତିକ ସ୍ଵାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ।

 

Comments are closed.