Latest Odisha News

BREAKING NEWS

କେମିତି ଲାଗୁ ହେବ ଜାତୀୟ ଶିକ୍ଷାନୀତି?

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସ୍କୁଲସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଶ୍ନ ଉଠୁଛି, କେମିତି ଲାଗୁ ହେବ ଏନଇପି? ଆଉ ଦୁଇ ମାସ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ହେବ । ହାତରେ କମ୍ ସମୟ ଥିବା ବେଳେ ଏପର୍ଯ୍ୟନ୍ତ ସିଲାବସ୍ ପ୍ରସ୍ତୁତ ହୋଇପାରିନି । ଫଳରେ ଆସନ୍ତା ଶିକ୍ଷାବର୍ଷରେ ଏନଇପି ଲାଗୁ ହେବା ନେଇ ଆଶଙ୍କା ଦେଖାଦେଇଛି ।
୧୦+୨ ଜାଗାରେ ୫+୩+୩+୪

ରାଜ୍ୟରେ ଏନଇପି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବ । ଶିକ୍ଷାର ଏବେକାର ଢାଞ୍ଚା ୧୦+୨କୁ ବଦଳାଇ ୫+୩+୩+୪ ଲାଗୁ କରାଯିବ । ଜାତୀୟ ଶିକ୍ଷା ନୀତିରେ ଥିବା ଢାଞ୍ଚାକୁ ପ୍ରାରମ୍ଭ ବା ମୌଳିକ, ପ୍ରସ୍ତୁତି, ମଧ୍ୟ ଓ ମାଧ୍ୟମିକସ୍ତର ଭାବେ ନାମକରଣ କରାଯାଇଛି । ପ୍ରଥମ ଥର ପାଇଁ ୩ରୁ ୬ବର୍ଷିଆ ପିଲାଙ୍କୁ ସାମିଲ କରାଯାଇଛି । ନୂଆ ଢାଞ୍ଚାରେ ୩ବର୍ଷର ପିଲା ନାମ ଲେଖାଇବେ । ପ୍ରଥମ ୩ବର୍ଷ ସେମାନେ ଅଙ୍ଗନବାଡି, ପ୍ରାକ୍ ବିଦ୍ୟାଳୟ ବା ବାଲବାଟିକାରେ ପଢିବେ । ଏହାପରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଢିବେ । ପ୍ରଥମ ୫ବର୍ଷ ସ୍ଲଟରେ ପିଲା ୮ବର୍ଷ ବୟସ ପର୍ଯ୍ୟନ୍ତ ପଢିବେ । ଦ୍ବିତୀୟ ସ୍ଲଟରେ ତୃତୀୟରୁ ପଞ୍ଚମ, ତୃତୀୟ ସ୍ଲଟରେ ଷଷ୍ଠରୁ ଅଷ୍ଟମ ଓ ଶେଷ ସ୍ଲଟରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବେ ।

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରିବା ଚ୍ୟାଲେଞ୍ଜ

ଆସନ୍ତା ଶିକ୍ଷା ବର୍ଷକୁ ଆଉ ମାତ୍ର ୨ମାସ ଥିବା ବେଳେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । କାରଣ ପିଲାଙ୍କ ପାଇଁ ନା ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି ନା ବହି ଛପାଯାଇଛି । ସ୍କୁଲମାନଙ୍କରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ବି ନିଯୁକ୍ତ ହୋଇନାହାନ୍ତି । ପୂର୍ବରୁ ମୋଟ୍ ୧୨ଟି ଶ୍ରେଣୀରେ ପିଲା ପଢୁଥିବା ବେଳେ ନୂଆ ଢାଞ୍ଚାରେ ୧୫ଟି ଶ୍ରେଣୀରେ ପିଲା ପଢିବେ । ତେଣୁ ଏନଇପି ଲାଗୁ ହେଲେ ସ୍ବାଭାବିକ ଭାବେ ଅଧିକ ଶ୍ରେଣୀଗୃହ ସାଙ୍ଗକୁ ଶିକ୍ଷକ ଆବଶ୍ୟକ ପଡିବେ । ଏମିତିରେ ରାଜ୍ୟରେ ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ରହିଥିବା ବେଳେ ନୂଆ ଢାଞ୍ଚା ଲାଗୁ କରିବା ସମସ୍ୟା ହୋଇପାରେ । ଖାଲି ସେତିକି ନୁହେଁ ନୂଆ ପାଠ୍ୟକ୍ରମ ପାଇଁ ଶିକ୍ଷକଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇନି । ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପିଲାଙ୍କୁ ସ୍କୁଲ ପୂର୍ବରୁ ଶିକ୍ଷା ଦିଆଯାଉଛି । ଏନଇପି ଲାଗୁ ହେଲେ ୩ବର୍ଷରୁ ପିଲା ସ୍କୁଲକୁ ଯିବେ । ଅଙ୍ଗନବାଡି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଆସୁଥିବା ବେଳେ ସ୍କୁଲ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଛି । ତେଣୁ ଏନଇପି ଲାଗୁ କରିବାକୁ ହେଲେ ବିଭାଗ ନେଇ ବି ନିଷ୍ପତ୍ତି ନେବାକୁ ପଡିବ ।

ପ୍ରଭାବିତ ହେବ କି ପାଠପଢା !

ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗରେ ଏନଇପି ଲାଗୁ ହେବାକୁ ନେଇ ଦୀର୍ଘ ଦିନ ଧରି ଅଚଳାବସ୍ଥା ଲାଗି ରହିଥିଲା । ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବାର ପ୍ରାୟ ୩ମାସ ଧରି କଣ ପଢାହେବ, ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା । ବାରମ୍ବାର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ଫଳରେ ପାଠପଢାରେ ବିଳମ୍ବ ହୋଇଥିଲା । ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏନେଇ କଣ ପ୍ରସ୍ତୁତି ହୋଇଛି? ସେନେଇ ସ୍ପଷ୍ଟ ହୋଇନି । ପ୍ରସ୍ତୁତି ଠିକରେ ହୋଇନଥିଲେ ପିଲାଙ୍କ ପାଠପଢାରେ ବିଳମ୍ବ ହେବା ଆଶଙ୍କା ରହିଛି ।

ଆସନ୍ତା ଶିକ୍ଷାବର୍ଷରୁ ଏନଇପି ଆଧାରରେ ରାଜ୍ୟରେ ପାଠପଢା ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ବାଲବାଟିକାରୁ ଏନଇପି ଆରମ୍ଭ ହେବ । ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ଷ୍ଟିୟରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ୧୬ସଦସ୍ୟ ବିଶିଷ୍ଟ କମିଟି ପାଠ ଖସଡା ପ୍ରସ୍ତୁତ କରିବେ । ଓଡିଶାର ପାଠ୍ୟଖସଡା ଜାତୀୟ ଫ୍ରେମର କପି ହେବନି, ଓଡିଶା ଭିତ୍ତିକ କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ କହିଛନ୍ତି । ଏଥିରେ ଓଡିଶାର କଳା ସଂସ୍କୃତିକୁ ସ୍ଥାନ ଦିଆଯିବ ।

Leave A Reply

Your email address will not be published.