Latest Odisha News

BREAKING NEWS

ଆଉ ନଦୀରେ ବୁଡିବେନି କି କୁମ୍ଭୀର ଟାଣିନେବନି, ନଦୀ ଘାଟରେ ଫେନସିଂ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା, ଏହି ସମସ୍ତ ଘଟଣା ଉପରେ ପଡିବ ପୂର୍ଣ୍ଣଛେଦ। ନଦୀରେ ବୁଡି ମୃତ୍ୟୁ ଘଟିବା ମାମଲାରେ ଲାଗୁନାହିଁ ଅଙ୍କୁଶ। ସେହିପରି ନଦୀ ଘାଟ ପାଖରୁ ହିଁ ମଣିଷକୁ ଟାଣି ନେଇ ଶୀକାର କରୁଛି କୁମ୍ଭୀର ଏବଂ ଘଡ଼ିଆଳ। ଏପରି ଘଟଣା ବଢିବାରେ ଲାଗିଛି। ଏହା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ନଦୀ ଘାଟ ଗୁଡିକୁ ଫେନ୍ସିଂ କରିବାକୁ ଯୋଜନା କରିଛନ୍ତି। ଅଘଟଣରୁ ମୃତ୍ୟୁକୁ ରୋକିବା ପାଇଁ ସମ୍ବେଦନଶୀଳ ନଦୀ ଘାଟରେ କରାଯିବ ଫେନସିଂ ବ୍ୟବସ୍ଥା।

ଏଦିଗରେ ରାଜସ୍ୱ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ଦୁଇଟି ବୈଠକ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ବ୍ୟବହୃତ ନଦୀ ସମେତ କୁମ୍ଭୀର ଥିବା ୧୦୦ଟି ଘାଟ ଚିହ୍ନଟ କରାଯିବ। ଏଥିପ୍ରତି ଖର୍ଚ୍ଚ ହେବ ୨ କୋଟି ଟଙ୍କା। ଆସନ୍ତା ବିଧାନସଭା ଅଧିବେଶନରେ ଜଳ ସମ୍ପଦ ବିଭାଗ ଏହି ଅର୍ଥକୁ ଅତିରିକ୍ତ ବଜେଟରେ ବ୍ୟୟବରାଦ କରିବାକୁ ଯାଉଛି। କୁମ୍ଭୀର ଆକ୍ରମଣ ତଥା ନଦୀରେ ବୁଡ଼ିଯିବା ଘଟଣାରୁ ଲୋକଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇବା ପାଇଁ ନଦୀ ଘାଟରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଜଳ ସମ୍ପଦ ବିଭାଗ ସହ ଆଲୋଚନା ପରେ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି।

ସୂତ୍ର ଅନୁଯାୟୀ, ୨୦୨୩-୨୪ ପାଇଁ ସପ୍ଲିମେଣ୍ଟାରୀ ବଜେଟରେ ପାଣ୍ଠି ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ-ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି। ସେ ମଧ୍ୟ ନଦୀ ଚିହ୍ନଟ କରିବେ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ର ସମନ୍ୱୟ ରକ୍ଷା କରି ନଦୀ ଘାଟରେ ନିର୍ମାଣ ହେବାକୁ ଥିବା ସଂରଚନାର ଏକ ତାଲିକା ଦାଖଲ କରିବେ। ଯାହା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ। ଯେଉଁଥିରେ ସଂରଚନା ଏବଂ ଯୋଜନା ପ୍ରସ୍ତୁତ ହେବ ବା ଫେନ୍ସିଂ ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, କେନ୍ଦ୍ରାପଡାଠାରେ କୁମ୍ଭୀର ଥିବା ନଦୀ ଘାଟରେ ଫେନସିଂ ଜାଲ ନିର୍ମାଣ କରାଯାଉଛି। ଏହି ନଦୀରେ ଚଳିତ ବର୍ଷ ଜୁନ୍ ମାସରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିଭଳି ଗତ ସାତ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୦,୦୦୦ ଲୋକେ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଯାହା ଓଡିଶାରେ ମୃତ୍ୟୁର ଅନ୍ୟତମ କାରଣ ପାଲଟିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଥାୟୀ କମିଟି ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ସମୁଦାୟ ୧,୪୭୬ ଟି ମୃତ୍ୟୁ ମାମଲା ରୁଜୁ ହୋଇଥିଲା।

Comments are closed.