ଭୁବନେଶ୍ୱର: ଓଡ଼ିଶା ସରକାର ବଜ୍ରପାତ ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଛଅ କୋଟି ଟଙ୍କାର ତାଳଗଛ ରୋପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ଯେ ତାଳଗଛ ଗୁଡ଼ିକ ପ୍ରାକୃତିକ ବଜ୍ରବାହୀ ଭାବରେ କାର୍ଯ୍ୟ କରିଥାଏ ଓ ବୈଦ୍ୟୁତିକ ଚାର୍ଜ ବିଚ୍ଛିନ୍ନ କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ଵାରା ଏହା ପ୍ରଭାବରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇପାରିବ।
ଏହା ପୂର୍ବରୁ ରାଜ୍ୟ ସରକାର ଜୁନ୍ ୨୦୧୫ରେ ବଜ୍ରପାତକୁ ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ ଘୋଷଣା କରିଥିଲେ। ତେଣୁ ଗତ ବର୍ଷ ଠାରୁ ଲୋକମାନେ ନିଜ ଘରେ ଥିବା ତାଳଗଛ କାଟିବା ପାଇଁ ବନ ବିଭାଗରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଥିଲା।
ଯେଉଁ ଅଞ୍ଚଳରେ ବଜ୍ରପାତ ଅଧିକ ହୋଇଥାଏ ସେହି ସ୍ଥାନ ମାନଙ୍କରେ ଗତ ବର୍ଷ ୨୦ ଲକ୍ଷ ତାଳଗଛ ରୋପଣ କରିବା ପାଇଁ ପ୍ରୟାସ କରାଯାଇ ସଫଳତା ପୂର୍ବକ ଏହାକୁ ହାସଲ ମଧ୍ୟ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ଏହି ସଫଳତାରେ ଉତ୍ସାହିତ ହୋଇ ବିଭାଗ ବର୍ତ୍ତମାନ୍ ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳ ଏବଂ କିଛି ସହରାଞ୍ଚଳରେ ଲୋକମାନେ ଝଡ଼ ତୋଫାନ ସମୟରେ ଖୋଲା ସ୍ଥାନରେ କାର୍ଯ୍ୟ କରୁଥାନ୍ତି। ସେହିମାନଙ୍କ ପାଇଁ ଏହି ପଦକ୍ଷେପକୁ ଜୀବନ ରକ୍ଷାକାରୀ ପଦକ୍ଷେପ ଭାବରେ ବର୍ଣ୍ଣନା କରି ମନ୍ତ୍ରୀ କହିଛନ୍ତି ଯେବଜ୍ରପାତ ଯୋଗୁଁ ମୃତ୍ୟୁହାର ହ୍ରାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।
ଏତେ ବଡ ପରିମାଣରେ ଗଛ ରୋପଣ ପାଇଁ ଖୋଲା ଚାଷଜମି, ଗ୍ରାମ ଉପକଣ୍ଠ ଏବଂ ରାଜପଥ ସମେତ ଦୁର୍ବଳ ଅଞ୍ଚଳଗୁଡ଼ିକୁ ବିଭାଗ ଚିହ୍ନଟ କରିବ। ଯାହା ପରିବେଶ ପାଇଁ ଲାଭଦାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.