Latest Odisha News

BREAKING NEWS

ନିତି ଆୟୋଗ ସୂଚୀ: ଆର୍ଥିକ ସ୍ବାସ୍ଥ୍ୟରେ ପୁଣି ଦେଶରେ ନମ୍ବର ୱାନ୍ ହେଲା ଓଡ଼ିଶା

ଭୁବନେଶ୍ୱର: ଆର୍ଥିକ ସ୍ବାସ୍ଥ୍ୟରେ ପୁଣି ଦେଶରେ ନମ୍ବର ୱାନ ହେଲା ଓଡ଼ିଶା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଏକ ନମ୍ବର ସ୍ଥାନ ପାଇଛି। ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରୁଛି ଓଡିଶା। ତେଣୁ ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି। ଆୟୋଗ ଜାରି କରିଥିବା ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ୨୦୨୫ରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଛି। ଏହା ‘ଆଚିଭର’ ବର୍ଗରେ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି।

ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ଆର୍ଥିକ ପରିଚାଳନା କିଭଳି କରାଯାଏ ତାହାର ଏକ ବଡ଼ ଉଦାହରଣ ପାଲଟିଛି ଓଡ଼ିଶା। ‌

ଓଡ଼ିଶା। ‌ଗୋଟିଏ କିମ୍ବା ଦୁଇଟି ବର୍ଷ ନୁହେଁ, ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରି ବର୍ଷ ବର୍ଷ ଧରି ରାଜସ୍ବ ବଳକା ମାନ୍ୟତା ବଜାୟ ରଖିଥିବା ଓଡ଼ିଶା ସମଗ୍ର ଦେଶରେ ଆର୍ଥିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଭଲ ସ୍ଥିତିରେ ରହିଛି। ତେବେ ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଓଡ଼ିଶା ହାରାହାରି ଭାବେ ଶୀର୍ଷ ସ୍ଥାନରେ ରହିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ପ୍ରଦର୍ଶନ କରିବାରେ ଓଡ଼ିଶା ରେକର୍ଡ କରିଛି।

୨୦୨୨-୨୩ର ଆଚିଭର୍‌ ବର୍ଗରେ ଓଡ଼ିଶା ପଛକୁ ଛତିଶଗଡ଼ ଦ୍ବିତୀୟ ଏବଂ ଗୋଆ ତୃତୀୟ ସ୍ଥାନରେ ରହିଛନ୍ତି। ନିତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡ଼ିଶାକୁ ସର୍ବାଧିକ ୬୭.୮ ସ୍କୋର୍‌ ମିଳିଛି। ୨୦୨୩-୨୩ ତଥ୍ୟ ଆଧାରରେ ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ବ୍ୟୟର ଗୁଣାତ୍ମକ ମାନରେ ରାଜ୍ୟର ସ୍କୋର୍‌ ୫୨, ରାଜସ୍ବ ସଂଗ୍ରହରେ ୬୯.୯, ଆର୍ଥିକ ଶୃଙ୍ଖଳାରେ ୫୪, ଋଣ ସୂଚୀରେ ୯୯ ଓ ଋଣ ସ୍ଥାୟିତ୍ବ ମାନଦଣ୍ଡରେ ଏହାର ସ୍କୋର୍‌ ୬୪ ରହିଛି।

ଓଡ଼ିଶା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହାର ବିତ୍ତୀୟ ନିଅଣ୍ଟ ସର୍ବନିମ୍ନ ରହିଛି। ଅଣ ଟିକସ ଉତ୍ସରୁ ରାଜସ୍ବ ସଂଗ୍ରହ କରିବାରେ ଏହା ଭଲ ପ୍ରଦର୍ଶନ କରିଛି। ରାଜ୍ୟର ମୋଟ ରାଜସ୍ବରେ ନିଜସ୍ବ ଅଣ ଟିକସ ରାଜସ୍ବ ହାରାହାରି ୨୧ ପ୍ରତିଶତ ରହିଛି। କିନ୍ତୁ ଖଣି ରାଜସ୍ବ ଉପରେ ଓଡ଼ିଶା ଅତ୍ୟଧିକ ନିର୍ଭରଶୀଳ ଥିବା ରିପୋର୍ଟରେ କୁହାଯାଇଛି। ମୋଟ ବିକାଶମୂଳକ ବ୍ୟୟରେ ପ୍ରାୟ ୨୭ ପ୍ରତିଶତ ରାଶିକୁ ଓଡ଼ିଶା ପୁଞ୍ଜି ବ୍ୟୟ ଭାବେ ଖର୍ଚ୍ଚ କରିଛି। ୨୦୨୦-୨୨ ମଧ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜସ୍ବ ବ୍ୟୟ ୩୩.୮ ପ୍ରତିଶତ ହାରରେ ବଢ଼ିଛି ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟର ନିଜସ୍ବ ଅଣ ଟିକସ ରାଜସ୍ବର ୯୦ ପ୍ରତିଶତ ଓ ନିଜସ୍ବ ଟିକସର ୪୫ ପ୍ରତିଶତ ଖଣି କ୍ଷେତ୍ରରୁ ଆସୁଛି। ତେବେ ୨୦୨୨-୨୩ରେ ଲୁହାପଥର ଦାମ୍ ବଢ଼ିବାରୁ ଓଡ଼ିଶାର ଖଣି ରାଜସ୍ବ କମିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

 

Comments are closed.