Latest Odisha News

BREAKING NEWS

ନବୀନଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ମୋଦୀଙ୍କ ପରେ ରାହୁଲ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସିବା ସାଙ୍ଗରେ ଓଡ଼ିଶାର ରାଜନୀତି ଜମିବାରେ ଲାଗିଛି । ଏମିତି ଲାଗୁଛି-ଯେମିତି ଓଡ଼ିଶାରେ ହିଁ ଆଗାମୀ ଦିନରେ ହିଁ ଜବରଦସ୍ତ ନିର୍ବାଚନ ହେଉଛି । ଜଣେ ପରେ ଜଣେ ଜାତୀୟ ନେତାଙ୍କ ଗସ୍ତ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଘୋଷଣା ଏହାକୁ ସରଗରମ କରି ଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଓ ବଲାଙ୍ଗୀର ଗସ୍ତରେ ଯାଇଥିଲେ । ଉଭୟ ସ୍ଥାନକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରି ସାରିଛନ୍ତି । ଏବଂ ଉଭୟ ସ୍ଥାନରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ କିଛି ନୂଆ ଯୋଜନା ମଧ୍ୟ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ସିଧାସଳଖ ସେମିତି କରିବା ସହିତ ବିଜେପିକୁ ଟକ୍କର ଦେବା ନିମନ୍ତେ ଅନେକ ନୂଆ ଘୋଷଣା କରିଛନ୍ତି । ଯାହାମଧ୍ୟରେ ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିବା ସାମିଲ ରହିଛି ।

ପୂର୍ବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବଲାଙ୍ଗୀରଠାରେ ପ୍ରତିଷ୍ଠା ନିମନ୍ତେ ଦାବି ଉଠୁଥିଲା । କିନ୍ତୁ ସରକାର ତାକୁ ପରେ ସତ୍ୟବାଦୀଠାରେ ପ୍ରତିଷ୍ଠା କରିଥିଲେ । ତେଣୁ ବଲାଙ୍ଗୀରେ ଉଠୁଥିବା ଅସନ୍ତୋଷକୁ କମାଇବା ପାଇଁ ବଲାଙ୍ଗୀରରେ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୁହାଯାଉଛି ।

ସେମିତି ଓଡ଼ିଶାକୁ ଜାତୀୟସ୍ତରର ନେତାମାନଙ୍କ ସୁଅ ଛୁଟିଛି । ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଳ ଏଣିକି ନିୟମିତ ଓଡ଼ିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ପୁଣି ଫେବୃଆରୀ ମାସରୁ କଂଗ୍ରେସ ଟିକେଟ ଦେବ ବୋଲି ଦଳ କହିଛି । ଯଦିଓ ଦଳର ୫୦ ଜଣ ପ୍ରାର୍ଥୀ ବହୁତ ଦିନ ତଳୁ ଘୋଷଣା କରାଯିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।
ତେବେ ରାହୁଳ ଗାନ୍ଧି ନିଜର ଓଡ଼ିଶା ଗସ୍ତ ସମୟରେ କାହାକୁ ସମାଲୋଚନା କରିବେ ତାକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେଡ଼ିକୁ ବେଶି ସମାଲୋଚନା କରିବେ କି ବିଜେପି ବିରୋଧରେ ବେଶି ବର୍ଷିବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଯଦି ରାହୁଳ ଗାନ୍ଧି ବିଜେପି ବିରୋଧରେ କହିଲେ ଓ ବିଜେଡ଼ିକୁ ଛାଡ଼ିଦେଲେ, ତେବେ କଂଗ୍ରେସ ରାଜ୍ୟରେ ବିଜେଡ଼ି ସହିତ ହାତ ମିଳାଇଛି ବୋଲି ଅଭିଯୋଗ ହେବ ।
ସେମିତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସନ୍ତା ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୯ ତାରିଖରେ ଶାହା ସାଲେପୁର ଯିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ଫେବୃଆରୀରେ ପୁରୀ ଯିବେ । ଉଭୟ ସ୍ଥାନରେ ସାଧାରଣ ସଭା ଆୟୋଜିତ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ମାସ ୫ ତାରିଖରେ ପୁରୀ ଯାଇଥିଲେ । ସେଠାରେ ମହିଳାମାନଙ୍କ ବିରାଟ ସମାବେଶରେ ଯୋଗ ଦେଇଥିଲେ । ସେମିତି ଆସନ୍ତା ୨୫ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁରୀ ଯାଉଛନ୍ତି । ସେହି ସମୟରେ- କାଳିଆ ଯୋଜନାର ଅର୍ଥପ୍ରଦାନ ଆରମ୍ଭ ହେବ ।

ଆଉ ତା’ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ପୁରୀକୁ ଯାଉଛନ୍ତି । ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଢି ପାରନ୍ତି ବୋଲି ଚର୍ଚ୍ଚା ବଢୁଛି । ତେଣୁ ସେଠାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପରେ ଶାହାଙ୍କ ଗସ୍ତ ରାଜନୀତିକୁ ଶୀତ ଦିନେ ଗରମ କରି ଦେଇଛି ।

Leave A Reply

Your email address will not be published.