Latest Odisha News

BREAKING NEWS

ପ୍ଲାନ ପ୍ରିୟଙ୍କା : କଂଗ୍ରେସକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଗାନ୍ଧୀ-ନେହରୁ ପରିବାରର ୧୧ ତମ ସଦସ୍ୟ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯଦିଓ ସେ ପୂର୍ବରୁ ମାଆ ସୋନିଆ ଏବଂ ଭାଇ ରାହୁଲଙ୍କ ପାଇଁ ନିର୍ବାଚନୀ କ୍ୟାମ୍ପେନରେ ସାମିଲ ହୋଇଥିଲେ, ହେଲେ ପ୍ରଥମ ଥର ପାଇଁ ୧୯ ନିର୍ବାଚନରେ ପୂରା ଦମରେ ରାଜନୈତିକ ମୈଦାନରେ ପାଦ ଥାପିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ପ୍ରିୟଙ୍କା ଗାନ୍ଧୀ- ଗାନ୍ଧୀ-ନେହରୁ ପରିବାରରୁ ରାଜନୀତିକୁ ଆସିବାରେ ୧୧ତମ ସଦସ୍ୟ
ରାଜନୀତିକୁ ଆସିବାରେ ନେହରୁ ପରିବାରର ଅଭିଯାନ ଆରମ୍ଭ ହୋଇଥିଲା ମୋତିଲାଲ ନେହରୁଙ୍କଠାରୁ । ମହାତ୍ମା ଗାନ୍ଧୀଙ୍କ ପାଇଁ ସେ କଂଗ୍ରେସରେ ଯୋଗଦେଇଥିଲେ। ଦୁଇ ଦୁଇ ଥର କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ ।
ମୋତିଲାଲଙ୍କ ପରେ ପୁଅ ଜବାହରଲାଲ ନେହରୁ କେମ୍ବ୍ରିଜରୁ ପଢ଼ା ଶେଷ କରି ଆସିଥିଲେ ରାଜନୀତିକୁ । ୧୯୨୩ ମସିହାରେ କଂଗ୍ରେସ ମହାସଚିବ ହୋଇଥିଲେ ଜବାହରଲାଲ ନେହରୁ ।
ଜବାହରଲାଲଙ୍କ ପରେ ରାଜନୀତିକୁ ଆସିଥିଲେ ଝିଅ ଇନ୍ଦିରା ଗାନ୍ଧୀ । ଇନ୍ଦିରାଙ୍କ ସ୍ବାମୀ ଫିରୋଜ ଖାନ୍ ମଧ୍ୟ ରାଜନୀତିରେ ଥିଲେ ବେଶ୍ ସକ୍ରିୟ।
ସେହିପରି ଇନ୍ଦିରା ଗାନ୍ଧୀଙ୍କ ଦୁଇ ପୁଅ ସଞ୍ଜୟ ଓ ରାଜୀବ ମଧ୍ୟ ରାଜନୀତିରେ ପାଦ ଥାପିଥିଲେ ।
ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜନୀତିକୁ ଆସିଥିଲେ ତାଙ୍କ ପତ୍ନୀ ମେନକା ଗାନ୍ଧୀ। ତେବେ ସେ ପ୍ରଥମେ କଂଗ୍ରେସର ବିରୋଧୀ ଜନତା ଦଳରେ ସାମିଲ ହୋଇଥିଲେ, ଆଉ ଏବେ ବିଜେପିରେ ରହି କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି ।


ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ବ ନେଇଥିଲେ ।
ସୋନିଆଙ୍କ ପରେ ରାଜନୀତିକୁ ଆସିଥିଲେ ପୁଅ ରାହୁଲ ଆଉ ପୁତୁରା ବରୁଣ ଗାନ୍ଧୀ।
ଆଉ ଏବେ ଗାନ୍ଧୀ-ନେହରୁ ପରିବାରର ୧୧ତମ ସଦସ୍ୟ ଭାବେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ପ୍ରିୟଙ୍କା ଗାନ୍ଧୀ ରାଜନୀତିକୁ ଆସିବା ଦ୍ବାରା କଂଗ୍ରେସକୁ କି ଫାଇଦା ମିଳିବ ?
ଫାଇଦା ୧
କଂଗ୍ରେସକୁ ମିଳିଲା ଷ୍ଟାର୍ କ୍ୟାମ୍ପେନର। ଯଦିଓ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କେବେ ମଧ୍ୟ ନିର୍ବାଚନ ଲଢିନାହାଁନ୍ତି ହେଲେ ମାଆ ସୋନିଆ ଆଉ ଭାଇ ରାହୁଲଙ୍କ ପାଇଁ ରାୟବରେଲୀ ଓ ଆମେଠିରେ ଜୋରଦାର କ୍ୟାମ୍ପେନିଂ କରିଛନ୍ତି । କହିବାକୁ ଗଲେ ସୋନିଆ ଏବଂ ରାହୁଲ ସେମାନଙ୍କର ଦୁଇ ନିର୍ବାଚନ ମଣ୍ଡଳୀକୁ ପ୍ରିୟଙ୍କାଙ୍କ ଦାୟିତ୍ବରେ ଦେଇ ଉଭୟ ସାରା ଦେଶରେ ପ୍ରଚାର କରୁଥିଲେ। ସେପଟେ ପ୍ରିୟଙ୍କା ସେଠାରେ ସଫଳତାର ସହ ତାଙ୍କର ଦାୟିତ୍ବ ତୁଲାଇଥିଲେ । ଦଳୀୟ ନେତା ଓ କର୍ମୀ ମଧ୍ୟ ଅନେକ ଥର ଦାବି କରିଆସିଛନ୍ତି ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିବା ପାଇଁ । ଏବେ ପ୍ରିୟଙ୍କା ଆସିବା ଦ୍ବାରା ଦଳକୁ ଜଣେ ଷ୍ଟାର କ୍ୟାମ୍ପେନର ମିଳିଯାଇଛି । କଂଗ୍ରେସ କର୍ମୀ ତ ଏପରି ମଧ୍ୟ କହିବା ଆରମ୍ଭ କରିଦେଲେଣି ଯେ, ଯଦି ପ୍ରିୟଙ୍କା ମୈଦାନକୁ ଓହ୍ଲାଇବେ ତାଙ୍କ ଆଗରେ ମୋଦି ମଧ୍ୟ ଫିକା ପଡ଼ିଯିବେ ।
ଫାଇଦା ୨
କଂଗ୍ରେସକୁ ମିଳିଲା ଜଣେ କୁଶଳ ମ୍ୟାନେଜର । ୧୯୯୯ରେ ଯେତେବେଳେ ସୋନିଆ ଗାନ୍ଧୀ ଏକା ସମୟରେ ଉତ୍ତରପ୍ରଦେଶର ଆମେଠି ଆଉ କର୍ଣ୍ଣାଟକର ବେଲାରୀ ଆସନରୁ ନିର୍ବାଚନ ଲଢିଥିଲେ, ସେତେବେଳଠାରୁ ପ୍ରିୟଙ୍କା ନିର୍ବାଚନ ମ୍ୟାନେଜର ଦାୟିତ୍ବ ତୁଲାଇ ଆସୁଛନ୍ତି । ଏଥିରେ ସେ ବେଶ୍ ସଫଳ ମଧ୍ୟ ହୋଇଛନ୍ତି । ୨୦୧୪ରେ ଯେତେବେଳେ ସବୁଠି ମୋଦି ଲହର ଚାଲୁଥିଲା, ସେତେବେଳେ ଉତ୍ତରପ୍ରଦେଶରେ ଡେରା ପକାଇଥିଲେ ପ୍ରିୟଙ୍କା । ଖାସ୍ ପ୍ରିୟଙ୍କାଙ୍କ ପାଇଁ କଂଗ୍ରେସ ଏଠାରେ ଏଇ ଦୁଇ ଆସନକୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲା ।
ଫାଇଦା -୩
ପ୍ରିୟଙ୍କା ଗାନ୍ଧୀଙ୍କ ଲୁକ୍ସ । ପ୍ରିୟଙ୍କାଙ୍କ ପାଖରେ ରହିଛି ଇନ୍ଦିରା ଗାନ୍ଧୀଙ୍କର ଛାପ। ପ୍ରିୟଙ୍କାଙ୍କଠାରେ ହିଁ ଇନ୍ଦିରା ଗାନ୍ଧୀଙ୍କର ବ୍ୟକ୍ତିତ୍ବକୁ ଦେଖିଥାନ୍ତି ଅନେକ କଂଗ୍ରେସ କର୍ମୀ । ଜେଜେମାଆଙ୍କ ପରି ଷ୍ଟାଇଲିସ୍ ପ୍ରିୟଙ୍କା । ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିଛି । ତାଙ୍କର ଏଇ ଲୁକ୍ସକୁ ନେତା ଓ କର୍ମୀ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

ଫାଇଦା-୪
ପ୍ରିୟଙ୍କାଙ୍କ ଓଜସ୍ବିନୀ ଭାଷଣ । ବିନା ସ୍କ୍ରିପ୍ଟରେ ମଧ୍ୟ ଭାଷଣ ଦେବାରେ ସେ ବେଶ୍ ଦକ୍ଷ । ଦଳ ଭାବିଛି କି ନରେନ୍ଦ୍ର ମୋଦିଙ୍କୁ ଭାଷଣ ଦେବାରେ କେବଳ ପ୍ରିୟଙ୍କା ହିଁ ଟକ୍କର ଦେଇପାରିବେ।

ଫାଇଦା-୫
ରାଜନୈତିକ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ପ୍ରିୟଙ୍କା ମାହିର । ଯଦିଓ ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଶେଷ ସଫଳତା ମିଳିପାରିନଥିଲା, ହେଲେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭିତରେ ଯେଉଁ ମେଣ୍ଟ ହୋଇଥିଲା, ଏହାର ଶ୍ରେୟ ଯାଇଥିଲା ପ୍ରିୟଙ୍କାଙ୍କ ପାଖକୁ। କେବଳ ପ୍ରିୟଙ୍କାଙ୍କ ପାଇଁ ହିଁ ଏଠାରେ ମେଣ୍ଟ କରିବା ସମ୍ଭବ ହୋଇଥିଲା।

Leave A Reply

Your email address will not be published.