କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆନ୍ଧ୍ରର ପ୍ରଥମ ଇନିଂସ ସ୍କୋର ୪୭୫ ରନ ଜବାବରେ ଓଡିଶା ୪ ୱିକେଟ ହରାଇ ୮୦ ରନ କରିଛି । ସନ୍ଦୀପ ପଟ୍ଟନାୟକ ୨୪ ଓ ଗୋବିନ୍ଦ ପୋଦ୍ଦାର ୧ ରନ କରି ଅପରାଜିତ ରହିଛନ୍ତି । ସ୍ୱସ୍ତିକ ସାମଲ ୦, ଗୌରବ ଚୌଧୁରୀ ୪୮, ବାଦଲ ବିଶ୍ୱାଳ ୧ ଓ ଶୁଭ୍ରାଂଶୁ ସେନାପତି ୬ ରନ କରି ଆଉଟ ହୋଇଥିଲେ । କୌଭରି ସାଇତେଜା ଓ ସୌରଭ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ । ଓଡିଶା ଏବେ ବି ଆନ୍ଧ୍ର ସ୍କୋରଠାରୁ ୩୯୫ ରନ ପଛରେ ରହିଛି ।
ପୂର୍ବରୁ ଆନ୍ଧ୍ରପ୍ରଦେଶ ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଶ୍ରୀକର ଭାରତ ୯୩, ଶେଖ ରଶୀଦ ୧୪୦ ଓ ସୌରଭ କୁମାର ୬୯ ରନର ଇନିଂସ ଖେଳିଥିଲେ । ଓଡିଶା ପକ୍ଷରୁ ସମ୍ବିତ ବରାଳ ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ନିଜ ସ୍ଥିତି ମଜଭୁତ କରିବାକୁ ହେଲେ ତୃତୀୟ ଦିବସରେ ଓଡିଶାର ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଗତ ସିଜନ ଏବଂ ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଚିନ୍ତାର କାରଣ ସାଜିବାରେ ଲାଗିଛି ।
Comments are closed.