Latest Odisha News

BREAKING NEWS

ଦୁର୍ଘଟଣା ହ୍ରାସ ଲକ୍ଷ୍ଯ: କଡା କଡି ଚେକିଂ କରିବାକୁ ଡିଜିପିଙ୍କୁ ଉଷା ପାଢୀଙ୍କ ଚିଠି

ଭୁବନେଶ୍ୱର: ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି।

ଓଡ଼ିଶାରେ ସଡ଼କ ଦୁର୍ଘଟଣା ହାର ଅଧିକ ଥିବା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଉଦବେଗ ପ୍ରକାଶ କରିବା ସତ୍ତ୍ୱେ ପୁଲିସ ମଦ୍ୟପ ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପାଇଁ ବିଭାଗ ପକ୍ଷରୁ ଥାନାଗୁଡ଼ିକୁ ଆବଶ୍ୟକ ସଂଖ୍ୟକ ବ୍ରେଥ୍ ଆନାଲାଇଜର ଯୋଗାଇ ଦିଆଯାଇଥିବା ବେଳେ ଆରଟିଓ ଅଧିକାରୀଙ୍କୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ସହ ରାଜ୍ୟରେ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ପ୍ରତି ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଥିବା ଉଷା ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଯେଉଁମାନେ ବ୍ରେଥ୍ ଆନାଲାଇଜର ଟେଷ୍ଟରେ ଧରାପଡିବେ ସେହି ଚାଳକଙ୍କୁ ଗିରଫ କରିବା ପାଇଁ ଡିଜିପି ସମସ୍ତ ଥାନାକୁ ନିର୍ଦ୍ଦେଶ ଦେବାକୁ ଉଷା ପାଢ଼ୀ ପରାମର୍ଶ ଦେଇଛନ୍ତି।

ସରକାର ଏପ୍ରିଲ ୧ରୁ ୭ ତାରିଖ ଯାଏ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ କରିଥିଲେ, ଯାହା ଫଳରେ ସଡ଼କରେ ଦୁର୍ଘଟଣା ଏବଂ ତତ୍ସମ୍ପର୍କିତ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଥିଲା। ଏହି ସପ୍ତାହରେ ଦୁର୍ଘଟଣା ହାର ପୂର୍ବ ସପ୍ତାହ ତୁଳନାରେ ୩୯.୯% ହ୍ରାସ ପାଇଥିଲା ଏବଂ ମୃତ୍ୟୁ ହାର ୨୮.୬% ହ୍ରାସ ପାଇଥିଲା।

ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ କୌଣସି ନାବାଳକ ଦୁର୍ଘଟଣାର ଶିକାର ହୋଇନାହାନ୍ତି କି ଦୁର୍ଘଟଣାରେ ମୃତ୍ୟୁବରଣ କରିନାହାନ୍ତି।ଏହି ସଫଳତାର ଶ୍ରେୟ ସଚେତନତା ଅଭିଯାନ ଓ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନକୁ ଦେଇଛନ୍ତି ପାଢ଼ୀ। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.