ଭୁବନେଶ୍ୱର: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସର୍ବମୋଟ ୨,୮୭,୫୧୯ଟି ସିଟ୍ ରହିଛି।
ସ୍ନାତକ ପାଠ୍ୟକ୍ରମ ଫେଜ-୧ ଆଡ଼ମିଶନରେ ୨,୮୭,୫୧୯ଟି ସିଟ୍ ପାଇଁ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ମେଧା ତାଲିକାରେ ୧,୭୮,୭୮୨ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଥିଲେ। ପ୍ରଥମ ମେଧା ତାଲିକା ପ୍ରକାଶିତ ହେବା ପରେ ୮୮,୪୮୦ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଥିଲେ। ସେହିପରି ଦ୍ଵିତୀୟ ମେଧା ତାଲିକାରେ ୪୧,୫୭୮ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି। ୧୭,୭୩୭ ଜଣ ପୁରୁଷ, ୨୩,୮୩୯ ଜଣ ମହିଳା ଏବଂ ୨ ଜଣ ଟ୍ରାନ୍ସଜେଣ୍ଡର ଦ୍ଵିତୀୟ ମେଧା ତାଲିକାରେ ମନୋନିତ ହୋଇଛନ୍ତି।
ସର୍ବାଧିକ କଟଅଫ୍ ମାର୍କ
କଳାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଷୟ ପାଇଁ ୯୯.୬୭% କଟଅଫ୍ ମାର୍କ ରହିଛି। ବିଜ୍ଞାନରେ ଫିଜିକାଲ ସାଇନ୍ସରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ବିଷୟ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୯୬.୧୭% ରହିଛି।ବାୟୋଲୋଜିକାଲ ସାଇନ୍ସରେ ଉଦ୍ଭିଦ ବିଜ୍ଞାନ (Botany) ବିଷୟ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୯୪.୩୩% ରହିଛି। ବାଣିଜ୍ୟରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପାଇଁ ୯୩.୬୭% କଟଅଫ୍ ମାର୍କ ରହିଛି। ଶାସ୍ତ୍ରୀ ଷ୍ଟ୍ରିମରେ ଶ୍ୟାମସୁନ୍ଦର ସଂସ୍କୃତ (ଡ଼ିଗ୍ରୀ) ମହାବିଦ୍ୟାଳୟ ପାଇଁ ୭୦% କଟଅଫ୍ ମାର୍କ ରହିଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ବିଷୟ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟର କଟଅଫ୍ ମାର୍କ ୯୨% ରହିଛି। ଲ’ (ଆଇନ) ପାଠ୍ୟକ୍ରମରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ. ଏଲଏଲବି ପାଠ୍ୟକ୍ରମ ପାଇଁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୮୮.୮୩% ରହିଛି।
ଦ୍ଵିତୀୟ ମେଧା ତାଲିକାରେ ବିଜ୍ଞାନ ପାଇଁ ୧୩,୩୩୧, କଳା ପାଇଁ ୨୩,୮୧୫, ବାଣିଜ୍ୟ ପାଇଁ ୨୯୧୫, ଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ୨୮୬, ସେଲ୍ଫ ଫାଇନାନ୍ସିଂ ପାଇଁ ୧୧୬୮ ଓ ଲ’ (ଆଇନ) ପାଇଁ ୬୩ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି।
ଦ୍ଵିତୀୟ ମେଧା ତାଲିକାରେ ଚୟନିତ ହୋଇଥିବା ଏବଂ ଫ୍ରିଜ୍ ବିକଳ୍ପ ବାଛୁଥିବା ଛାତ୍ରଛାତ୍ରୀମାନେ ୨୧ ଜୁଲାଇ ସକାଳ ୧୦.୦୦ ଘଟିକା ଠାରୁ ୨୩ ଜୁଲାଇ ସନ୍ଧ୍ୟା ୫.୦୦ ଘଟିକା ମଧ୍ୟରେ ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ।