Latest Odisha News

ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି; ଟଙ୍କା ଉଠାଣ ପାଇଁ ନିର୍ମଳାଙ୍କୁ ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ଅଛି । ଓଡିଶାର ଅର୍ଥମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜମା ଟଙ୍କା ଉଠାଣ ପାଇଁ ଚିଠି ଲେଖିଛନ୍ତି । ଜଗନ୍ନାଥ ମନ୍ଦିରର ଜମା ଟଙ୍କା ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଜାରି କରିବାକୁ ଅର୍ଥମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ୟେସ ବ୍ୟାଙ୍କରେ ଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ୫୪୫ କୋଟି ଟଙ୍କା ଜମା କରାଯାଇଛି ।

ଆରବିଆଇ ଗୁରୁବାର ଦିନ ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି । ସେଥିପାଇଁ ବିରୋଧୀ ଦଳ ରାଷ୍ଟ୍ରାୟତ ବ୍ୟାଙ୍କକୁ ଛାଡି ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏବେ ଜଗନ୍ନାଥ ମନ୍ଦିରର ଜମା ଟଙ୍କାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ, ଜଗନ୍ନାଥ ମନ୍ଦିରର ଟିଡିଆର ଆକାରରେ ଜମା ଥିବା ଟଙ୍କା ମାର୍ଚ୍ଚ ମାସ ୨୦୨୦ରେ ମାଚ୍ୟୋର ହେଉଛି । କିନ୍ତୁ ଆରବିଆଇର କଟକଣା ଯୋଗୁଁ ରାଜ୍ୟ ସରକାର ସେହି ଜମା ଟଙ୍କାକୁ ଉଠାଇ ପାରିବେ ନାହିଁ ।

ଏହା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ହିତରେ ଥିବାରୁ ଆରବିଆଇକୁ ଜଗନ୍ନାଥଙ୍କ ଜମା ଟଙ୍କା ଜାରି କରିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ପୂଜାରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି ।

Comments are closed.