Latest Odisha News

BREAKING NEWS

୨୪ରେ ଭିଜିଲାନ୍ସ ହାତରେ ୧୮୧ ବାବୁ, ଆଉ ୧୩୧ କୋଟିର ସମ୍ପତ୍ତି

ଭୁବନେଶ୍ବର: ଚଳିତ ବର୍ଷ ଭିଜିଲାନ୍ସ ୨୦୦ରୁ ଅଧିକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି । ୧୮୧ ଜଣ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ମୋଟ ୧୩୧ କୋଟିର ସମ୍ପତି ଜବତ କରିଛି ଭିଜିଲାନ୍ସ । ଆଜି ବର୍ଷ ଶେଷରେ ରେଡ୍ ଏବଂ ମାମଲା ନେଇ ବର୍ଷକର ତଥ୍ୟ ପ୍ରଦାନ କରିଛି ଭିଜିଲାନ୍ସ ।

ଦୁର୍ନୀତି ନିବାରଣ ସଂସ୍ଥା, ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଏହି ବର୍ଷରେ ୫୦ ଜଣ କ୍ଲାସ ଓ୍ବାନ୍ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଯେଉଁଥିରେ ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଯୁଗ୍ମ ଅବକାରୀ କମିଶନର, ଜଣେ ମତ୍ସ୍ୟ ଉପନିର୍ଦ୍ଦେଶକ, ଦୁଇଜଣ ସିଟି ଏବଂ ଜିଏସଟି ସହାୟକ କମିଶନର, ଜଣେ ଜେଲ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ସବ-କଲେକ୍ଟର, ଦୁଇଜଣ ତହସିଲଦାର, ଦୁଇଜଣ ବିଡିଓ ଏବଂ ଅନେକ ଅନ୍ୟ ଅଧିକାରୀଙ୍କ ଘରେ ଚଳିତ ବର୍ଷ ରେଡ୍ ହୋଇଛି ।

ସେହିପରି, ୨୦୨୪ରେ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର ଏବଂ ଡିଡବ୍ଲୁ ଅଧିକାରୀ, ୯ ଜଣ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ଜଣ ବନ କର୍ମଚାରୀ ଏବଂ ୩ ଜଣ ଆଇସିଡିସି କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏହାବ୍ୟତୀତ ୨୫ ଜଣ ସରକାରୀ କର୍ମଚାରୀଙ୍କୁ ତାଙ୍କ ଚାକିରୀରୁ ବହିଷ୍କାର କରାଯାଇଛି ।

ଏଥିସହିତ ଏଥର ବିଭାଗ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି । ଏଥିରେ ମୋଟ ୬୦ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ଏଥିରୁ ୧୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଯାଇଛି । ଭିଜିଲାନ୍ସ ମଧ୍ୟ ଲାଞ୍ଚ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୯୬ ଟି ଟ୍ରାପ୍ କେସ୍ ପଞ୍ଜିକରଣ କରାଯାଇଛି ଯେଉଁଥିରେ ୯୯ ଜଣ ସରକାରୀ ଅଧିକାରୀ ସମେତ ୧୧୫ ଜଣ ୧୯.୨୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ।

Comments are closed.