ଭୁବନେଶ୍ୱର: ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି । ତେବେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ, ଯାଜପୁର ଜିଲ୍ଲାରେ ସର୍ବାଧିକ ୧୦ ମିଲିମିଟର ବର୍ଷା ହୋଇଛି । ସେହିପରି ମୟୂରଭଞ୍ଜରେ ୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆଗାମୀ ୪ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ଏଥି ମଧ୍ୟରେ ରାଜ୍ୟର ୫ଟି ସହରରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି । ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟି ଥିବାବେଳେ ଏହାର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଫୁଲବାଣୀରେ ୧୪ ଡିଗ୍ରୀ, କୋରାପୁଟରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, କିରେଇରେ ୧୪.୪ ଡିଗ୍ରୀ, ସେମିଳିଗୁଡ଼ାରେ ୧୫ ଡିଗ୍ରୀ, ଅନୁଗୋଳରେ ୧୬ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, କେନ୍ଦୁଝରରେ ୧.୪, ସୋନପୁରରେ ୧୬.୯ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ ଓ ରାଉରକେଲାରେ ୧୮.୨ ଡିଗ୍ରୀ ସେଲସିୟସ ରାତିର ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡିଶାରେ କେତେକ ଜିଲ୍ଲାରେ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Comments are closed.