ଭୁବନେଶ୍ୱର: ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି। ଫଳରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣପାଗ ବିଭାଗ।
ଏହି ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ବିଭିନ୍ନ ସ୍ଥନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେହିପରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ୯ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
Comments are closed.