Latest Odisha News

BREAKING NEWS

୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ କାଳବୈଶାଖୀ ପାଇଁ ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ଅଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ୪୦ରୁ ୫୦କିମି ବେଗରେ ପବନ ବି ବହିବ। କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

୧୬ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୭ ତାରିଖରେ ବି କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

 

Comments are closed.