ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶାବାସୀଙ୍କୁ ଏକାସାଙ୍ଗରେ ଉଭୟ କାଳବୈଶାଖୀ ଏବଂ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡ଼ିବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି, ଝଡ଼ ପବନ ସହିତ ପ୍ରବଳ ଖରାର ପ୍ରଭାବ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏକାଧିକ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି ଏବଂ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଜିଠାରୁ (ଏପ୍ରିଲ ୨୮) ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଆଗାମୀ ୩ ରୁ ୫ ଦିନ ମଧ୍ୟରେ ଏହି ପାଣିପାଗ ପ୍ରକ୍ରିୟା ବ୍ୟାପକ ରୂପ ନେବ ଏବଂ ପ୍ରାୟ ସମସ୍ତ ଜିଲ୍ଲାକୁ ଛୁଇଁବ। ମେ’ ୧ ଏବଂ ୨ ତାରିଖ ବେଳକୁ ସମଗ୍ର ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବର୍ଷା ସମୟରେ, ଖାସକରି ଅପରାହ୍ନ ଓ ସନ୍ଧ୍ୟା ବେଳେ ଘଣ୍ଟାକୁ ୩୦ ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମଡି ସତର୍କ କରାଇଛି। ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ରାୟଗଡ଼ା ଏବଂ କୋରାପୁଟରେ ପବନର ବେଗ ୪୦-୫୦ କିମି ରହିପାରେ।
କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାରେ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି। ଲୋକମାନଙ୍କୁ ଗଛ ଏବଂ ଦୁର୍ବଳ କୋଠା ତଳେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି।
କାଳବୈଶାଖୀ ବର୍ଷା ସତ୍ତ୍ୱେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବ। ଏହା ବ୍ୟତୀତ ସମ୍ବଲପୁର ଓ ସୁନ୍ଦରଗଡ଼ରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସହ ଗୁଳଗୁଳି ଅନୁଭୂତ ହେବ। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ଗରମ ଓ ଆର୍ଦ୍ରତା ଲୋକଙ୍କୁ ଅସ୍ତବ୍ୟସ୍ତ କରିବ।
ସୂଚନାଯୋଗ୍ୟ ଯେ, ନିକଟରେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା ଏବଂ ରାଜ୍ୟର ୧୪ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା।
Comments are closed.