Latest Odisha News

BREAKING NEWS

ଦିନେ ଭଉଣୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ: ଆଜି ଭାଇ ପାଇଁ ରାକ୍ଷୀ ପଠାଇଲେ ଭଉଣୀ

କେନ୍ଦ୍ରାପଡା: ବର୍ଜବ୍ୟସ୍ତୁରୁ ରାକ୍ଷୀ ତିଆରି କରି ତାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର ୬୩ ବର୍ଷିୟା କମଳା ମହାରଣା । ତେବେ କମଳା ହେଉଛନ୍ତି ସେହି ମହିଳା ଯାହାଙ୍କ ବର୍ଜ୍ୟବସ୍ତୁରୁ ତିଆରି ନିଖୁଣ ଘରକରଣା ସାମଗ୍ରୀକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ । ଖାଲି ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ମୋଦି କମଳାଙ୍କୁ ଭଉଣୀ ବୋଲି ସମ୍ବୋଧନ ମଧ୍ୟ କରିଥିଲେ ।ତେବେ ରକ୍ଷା ବନ୍ଧନରେ କମଳାଙ୍କ ରାକ୍ଷୀ ପିନ୍ଧି ପୁଣି ମୋଦୀ ମନେ ପକେଇବେ ଭଉଣୀ କମଳା ମହାରଣାଙ୍କୁ ।

ସେଦିନ ଥିଲା ୨୦୨୩ ମସିହା ଫେବୃଆରୀ ମାସ ୨୬ ତାରିଖ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୯୮ ତମ ମନ୍ କି ବାତର ସଂସ୍କରଣ ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ପ୍ରଶଂସା କରି ତାଙ୍କୁ ଲୋକ ଲୋଚନକୁ ଆଣିଥିଲେ । ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ସେହିଦିନ ଠୁଁ ସବୁଆଡେ ପ୍ରସଂଶା ର ପାତ୍ର ହୋଇଥିଲେ କମଳା । ସେଥିପାଇଁ ଚଳିତ ବର୍ଷ ରକ୍ଷା ବନ୍ଧନରେ ନିଜ ଭାଇ ପାଇଁ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ପଠେଇଛନ୍ତି କମଳା । ଏନେଇ କମଳା କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ‌ଭଉଣୀ ବୋଲି ଡାକିବା ମୋ ପାଇଁ ଅତ୍ୟନ୍ତ  ସୌଭାଗ୍ୟର ବିଷୟ । ଯେବେ ସେ ମୋ କାମକୁ ପସନ୍ଦ କରି ଭଉଣୀ ବୋଲି କହିଲେ, ସେବେଠୁ ତାଙ୍କୁ ବଡ଼ଭାଇ ବୋଲି ମାନିଛି । ସେ ମୋ ରାକ୍ଷୀକୁ ପିନ୍ଧି ସାନ ଭଉଣୀକୁ ନିଶ୍ଚୟ ମନେ ପକାଇବେ । ମୋଦି ତାଙ୍କ ପାଇଁ ଭଗବାନ ସଦୃଶ ବୋଲି କହିଛନ୍ତି କମଳା’।

 ସୂଚନାଯୋଗ୍ୟ ଯେ, ବାହାରେ ପଡ଼ିଥିବା ଛିଣ୍ତା ଜରି ଭଳି ବର୍ଜ୍ୟବସ୍ତୁରୁ ବେଶ ଆର୍କଷଣୀୟ ସାଜସଜ୍ଜା ଓ ଘରକଣା ସାମଗ୍ରୀ ତିଆରି କରିବାରେ ମାହିର କମଳା । ଲୋକମା‌ନେ ବ୍ୟବହାର କରିବା ପରେ ବାହାରେ ଫିଙ୍ଗି ଦେଉଥିବା ଅଟା ଓ ତେଲ ପ୍ୟାକେଟ ହେଉ କି କୁରୁକୁରେ, ଅମୂଲ, ସର୍ଫର ଇତ୍ୟାଦିର ଜରି ହେଉ ଏହିସବୁକୁ ଅଳିଆ ଗଦାରୁ ସଂଗ୍ରହ କରିଥାଆନ୍ତି କମଳା । ସ୍ବାମୀ ଓ ପିଲାମାନେ ବି ତାଙ୍କୁ ଏ କାମରେ ସହଯୋଗ କରିଥାଆନ୍ତି । ସ୍ବାମୀ ଓ ପୁଅ ଯେତେବେଳେ କାଠ କାମ କରନ୍ତି, ସେହି ସମୟରେ ସେ ଏହି ଛିଣ୍ଡା ଜରି, ପଲଥିନରୁ ମନଲାଖି ଘରକରଣା ସାମଗ୍ରୀ ସବୁ ତିଆରି କରିବାରେ ଲାଗି ପଡ଼ନ୍ତି ।  ବେରୁଆଁ, କାଉଁଚ ଓ ନଡ଼ିଆ ଖରିକା ସାହାଯ୍ୟରେ କଟା ଜରିକୁ ବୁଣି କାନ୍ଥ ଟଙ୍ଗା ଫୁଲ, ବିଞ୍ଚଣା, ଡାଲା ଭଳି ତିଆରି କରିଥାଆନ୍ତି ବହୁ ଆଖି ଝଲସିଲା ଭଳି ସାମଗ୍ରୀ ।

 

Leave A Reply

Your email address will not be published.