ଅଲୂର: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏକ ମୁକାବିଲାରେ ଓଡିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀକୁ ୭୯ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୨୭୨ ରନ କରିଥିଲା । ବିପ୍ଲବ ସାମନ୍ତରାୟ ଦଳ ପକ୍ଷରୁ ସର୍ବାଧିକ ୭୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ପୋଦ୍ଦାର ୩୫, ସ୍ୱସ୍ତିକ ସାମଲ ୨୮ ଓ ଓମ ଟି ମୁଣ୍ଡେ ୨୬ ରନ କରିଥିଲେ ।
୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୪୨.୩ ଓଭରରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ହର୍ଷ ତ୍ୟାଗୀ ୪୩ ରନ କରି ଦିଲ୍ଲୀ ପକ୍ଷରୁ ସଂଘର୍ଷ କରିଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ସମ୍ବିତ ବରାଳ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ରାଜେଶ ମହାନ୍ତି ୨ଟି ୱିକେଟ ନେଇଥିଲେ । ଗ୍ରୁପ ଡି ପଂଏଟ ଟେବୁଲରେ ଏବେ ଓଡିଶା ଶୀର୍ଷରେ ରହିଛି । ଓଡିଶା, ରେଲୱେ, ହରିୟାଣା ଓ ଦିଲ୍ଲୀ ଟିମ ୧୨ ପଂଏଟ ଲେଖାଏଁ ହାସଲ କରିଥିଲେ ମଧ୍ୟ ଆଭରେଜ ଦୃଷ୍ଟିକୋଣରୁ ଓଡିଶା ପ୍ରଥମରେ ରହିଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ବିପ୍ଲବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।