ଭୁବନେଶ୍ୱର/ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଉପରୁ ଏଯାଏ ପରଦା ହଟିନି । ଆଜି ପୋଲିସ ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘରେ ତଦନ୍ତ କରିଛି । ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର କାହା ସହ କଥା ହୋଇଥିଲେ, ଘରକୁ କିଏ ଆସିଥିଲା ଏସବୁ ଜାଣିବାକୁ ପୋଲିସ ଚେଷ୍ଟା କରୁଛି ।
ସେପଟେ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲାରେ ପୁଣି ଥରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଟାଣିଛି ବିଜେପି । ଭାରତୀୟ ଜନତା ପାର୍ଟିର ଏକ ଟିମ୍ ପୁରୀ ଜିଲ୍ଲାପାଳଙ୍କୁ ଭେଟିଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଦଳ ଆସନ୍ତାକାଲି ନିମାପଡ଼ାରେ ପ୍ରତିବାଦ କରିବ ବୋଲି କହିଛି ।
ନିମାପଡ଼ାର ୧୦୦ଟି ସ୍ଥାନରେ ବିଜେପି ଆସନ୍ତାକାଲି ମନ୍ତ୍ରୀ ସମୀର ଦାଶଙ୍କ କୁଶ ପୁତ୍ତଳିକା ଦାହ କରିବ ବୋଲି କହିଛି । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରେ ଦିନ ଗଡ଼ି ଚାଲିଥିବା ତଦନ୍ତର ଅଗ୍ରଗତିକୁ ନେଇ ବିରୋଧୀ ପ୍ରଶ୍ନ କରୁଛନ୍ତି । ତେବେ ଆତ୍ମହତ୍ୟାକୁ ନେଇ ରାଜନୀତି ଭିତରେ ପୋଲିସ ଧର୍ମେନ୍ଦ୍ରଙ୍କ ସୁଇସାଇଡ୍ ଉପରୁ କେବେ ପରଦା ହଟାଉଛି ଦେଖିବାର କଥା ।
Comments are closed.