ଭୁବନେଶ୍ୱର: ମହିଳାଙ୍କୁ କ୍ରୁଟ ପକ୍ଷରୁ ରକ୍ଷା ବନ୍ଧନ ଉପହାର। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ ୨୭ ତାରିଖରେ ଆମ ବସ୍ ସେବାରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛି। ମହିଳାଙ୍କ ନିରାପଦ ଓ ସୁବିଧାଜନକ ଯାତାୟାତ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ମାଗଣା ଯାତ୍ରା ଘୋଷଣା କରିଛି।
ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ ସେବାରେ ଉପଲବ୍ଧ ହେବ। ଏହି ପଦକ୍ଷେପ ଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ପରିବହନ କର୍ତ୍ତୃପକ୍ଷ ଆକଳନ କରୁଛନ୍ତି ଯେ ଉତ୍ସବ ସାରା ପ୍ରାୟ ୧୦୦,୦୦୦ ମହିଳା ଯାତ୍ରୀ ଏହି ଯୋଜନାରୁ ଉପକୃତ ହେବେ।
ପ୍ରତ୍ୟେକ ମହିଳା ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ସହ ଏହି ପଦକ୍ଷେପ ସମନ୍ୱିତ। ବିଶେଷକରି ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଚାଲିଥିବା ପ୍ରୟାସକୁ ଏହା ଆହୁରି ସୁଦୃଢ଼ କରିବ। ସୁଲଭ ଓ ସହଜ ଜନପରିବହନ ମାଧ୍ୟମରେ ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ।
ଜିପିଏସ୍ ଆଧାରିତ ବସ୍ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ, ଯାତ୍ରୀ ସହାୟତା ବ୍ୟବସ୍ଥା ଓ ପ୍ରଯୁକ୍ତି ଆଧାରିତ ପରିଚାଳନା ଭଳି ବ୍ୟବସ୍ଥା ସହ ଆମ ବସ୍ ଓଡ଼ିଶାର ଏକ ନିରାପଦ, ସୁଲଭ ଓ ନିର୍ଭରଯୋଗ୍ୟ ସାଧାରଣ ପରିବହନ ବ୍ୟବସ୍ଥା ଭାବେ ନିଜର ପରିଚୟ ସୃଷ୍ଟି କରିଛି। ମହିଳା ଯାତ୍ରୀମାନେ ଯେପରି ଆତ୍ମବିଶ୍ୱାସର ସହ ଯାତ୍ରା କରିପାରିବେ, ସେଥିପାଇଁ କ୍ରୁଟ୍ ପକ୍ଷରୁ ନିରନ୍ତର ଭାବେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି।
ଏହି ରକ୍ଷା ବନ୍ଧନରେ ଜନ ପରିବହନକୁ ଯାତ୍ରାର ପ୍ରାଥମିକ ମାଧ୍ୟମ ଭାବେ ଚୟନ କରିବାକୁ କ୍ରୁଟ୍ ପ୍ରତିଟି ନାଗରିକମାନଙ୍କୁ ଆହ୍ୱାନ କରିଛି। ଆମ ବସ୍ରେ ଯାତ୍ରା କରି ମହିଳାମାନେ ନିରାପଦ, ନିର୍ଭରଯୋଗ୍ୟ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ପାଇବା ସହ ସହରର ଟ୍ରାଫିକ୍ ଭିଡ଼ ହ୍ରାସ, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଚ୍ଛ ସହରୀ ପରିବେଶ ଗଠନରେ ମଧ୍ୟ ଅବଦାନ ରଖିପାରିବେ।
ଏହି ଦେୟମୁକ୍ତ ଯାତ୍ରା ସୁବିଧା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ନିରାପଦ, ନିର୍ଭରଯୋଗ୍ୟ ଓ ସମ୍ମାନଜନକ ଯାତାୟାତ ସୁବିଧା ଯୋଗାଇବା ପ୍ରତି କ୍ରୁଟ୍ ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରୁଛି। ଓଡ଼ିଶାର ଆମ ବସ୍ ସେବା ଉପଲବ୍ଧ ଥିବା ସମସ୍ତ ସହରର ମହିଳାମାନଙ୍କୁ ଏହି ପର୍ବରେ ଆମ ବସ୍କୁ ଯାତ୍ରାର ସାଥୀ କରି ଏକ ନିରାପଦ, ସୁବିଧାଜନକ ଓ ଆରାମଦାୟକ ଯାତ୍ରାର ଅନୁଭୂତି ନେଇପାରିବେ।
କ୍ରୁଟ୍ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଯାତ୍ରୀ ଶିଷ୍ଟାଚାର ପାଳନ କରିବା ଏବଂ ଯାତ୍ରା ସମୟରେ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି ଅନୁରୋଧ କରାଯାଇଛି। ସମସ୍ତେ ପରସ୍ପରକୁ ସହଯୋଗ କରି ଏକ ସୁଖଦ ଓ ସୁବିଧାଜନକ ଯାତ୍ରା ଅନୁଭୂତି ସୁନିଶ୍ଚିତ କରିବାକୁ କ୍ରୁଟ୍ ସମସ୍ତ ଯାତ୍ରୀଙ୍କ ନିକଟରୁ ସହଯୋଗ କାମନା କରିଛି।

