Latest Odisha News

BREAKING NEWS

Unique Alphabet Garden: ଓଡ଼ିଶାର ପ୍ରଥମ ଅନନ୍ୟ ବର୍ଣ୍ଣମାଳା ଉଦ୍ୟାନ; “ଅ” ଅକ୍ଷର ଠାରୁ “ଲ” ପର୍ଯ୍ୟନ୍ତ ଲାଗିଛି ଗଛ

ନବରଙ୍ଗପୁର: ବୃକ୍ଷ ହିଁ ଜୀବନ, ପରିବେଷକୁ ସନ୍ତୁଳିତ ରଖିବାପାଇଁ ଗଛ ଲଗାଇବା ନିହାତି ଜରୁରୀ l ଏବେ ଗ୍ଲୋବାଲୱାର୍ମିଙ୍ଗ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । ଏହିଭଳି ପରିସ୍ଥିତିରେ ଗଛ ଲଗାଇବା ସହ ଜଙ୍ଗଲ ସୁରକ୍ଷା କରିବା ଏକମାତ୍ର ବିକଳ୍ପ l ପ୍ରଧାନମନ୍ତ୍ରୀ ନରେନ୍ଦ୍ରମଦି ମଧ୍ୟ ମାଆ ପାଇଁ ଗଛଟିଏ ସ୍ଲୋଗାନ ଦେବାସହ ନିଜେ ମଧ୍ୟ ଗଛ ଲଗାଇ ଦେଶର ସମସ୍ତ ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଛନ୍ତି l ଏହି କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ବନବିଭାଗର ଏକ ଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟଦେଖିବାକୁ ମିଳିଛି l

ନବରଙ୍ଗପୁର ଜିଲ୍ଲା ବନବିଭାଗର କୋଡ଼ିଙ୍ଗା ରେଞ୍ଜ ଅନ୍ତର୍ଗତ ଫାର୍ଶାଗୁଡା ଗ୍ରାମନିକଟରେ ୨୮ ଏକର ଜାଗାରେ ୨୦୦ ପ୍ରଜାତିର ୧୨ ହଜାର ଗଛ ଲଗାଯାଇଛି l ଏହି ଉଦ୍ୟାନର ବିଶେଷତ୍ୱ ହେଲା ଓଡ଼ିଆ ବର୍ଣ୍ଣମାଳାର “ଅ” ଅକ୍ଷର ଠାରୁ ଆରମ୍ଭ କରି “ଲ” ଅକ୍ଷର ପର୍ଯ୍ୟନ୍ତ ଅର୍ଥାତ “ଅ” ଅକ୍ଷରର ଗଛ ଅଁଳା, ଅର୍ଜୁନ, ଅଗ୍ନିମନ୍ଥ, ଅଶୋକ, “ଆ” ଅକ୍ଷରର ଗଛ ଆତ, ଆମ୍ବ, ଆମ୍ବଡା ଏବଂ “ଲ” ଅକ୍ଷରର ଲଙ୍କା ଆମ୍ବ, ଲକ୍ଷ୍ମଣଫଳ, ଲିଚୁ ଭଳି ଗଛ ଗୁଡିକ ଧାଡିକୁଧାଡି ଲଗାଯାଇଛି l

ଏହି ଉଦ୍ୟାନ ମଧ୍ୟରେ ତେଜପତ୍ର, ଦରିଅସ୍ତ, କେତକୀ, ବଡ଼ଅଳେଇଚ, ରୋଜମେରୀ, ପସନଭେଦି, ଗନ୍ଧଶୁଣ୍ଠୀ, ପୋଦିନା, ମନ୍ଦରଙ୍ଗା, ଭଳି ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଉଦ୍ୟାନର ଶୋଭାବର୍ଦ୍ଧନ କରୁଥିବାବେଳେ ଲବଙ୍ଗ, ଡାଲଚିନି, ଗୋଲମରିଚ, ତେଜପତ୍ର, ହିଙ୍ଗୁ, କର୍ପୁର, ସର୍ବମସଲା ଭଳି ମସଲାଜାତୀୟ ଗଛ l ଦେଶିବିଦେଶୀ ଫଳଗଛ ସାଙ୍ଗକୁ ମେଧା, ଗରୁଡ଼,ବୁଷ୍ଟଭିଆ, ଓ ଗେଣ୍ଡୁଳି ଭଳି ଦୁର୍ଲଭ ଗଛ ଗୁଡିକୁ ମଧ୍ୟ ବର୍ଣ୍ଣମାଳାଉଦ୍ୟାନରେ ଲଗାଯାଇଛି l ଏହାସହ ପୂର୍ବଓଡ଼ିଶାର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଦେଖାଯାଉଥିବା ଝାଉଁ ଓ ପୋଲାଙ୍ଗ ଭଳି ଗଛ ଗୁଡିକୁ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଅତି ପରିଶ୍ରମ ଓ ଜାଗ୍ରତର ସହ ଜୀବିତ ରଖାଯାଇଛି l

ଖାଲି ସେତିକି ନୁହଁ ବର୍ଣ୍ଣମାଳା ଉଦ୍ୟାନ ମଧ୍ୟରେ ରହିଥିବା ଜଗୁଆଳିର ଘରକାନ୍ଥ ସବୁକୁ ୧୨୦ଟି ବର୍ଣ୍ଣକ୍ଷର ଦ୍ୱାରା ଚିତ୍ରଣ କରାଯାଇଛି ଏବଂ ଚତୁର୍ପାଶ୍ୱରେ ସିମେଣ୍ଟର ଚେୟାର ମାନ ପକାଯାଇଛି l ଡିପବୋରୱେଲ ଖୋଳାଯାଇ ସଲାର ସଂଯୋଗକରି ସମ୍ପୂର୍ଣ୍ଣ ୨୮ ଏକରରେ ପାଇପ ଲାଇନ ବିଛାଇ ଗଛଗୁଡିକୁ ପାଣି ଦିଆଯାଉଛି l ୬୧ ଲକ୍ଷ ଟଙ୍କା ବ୍ୟୟରେ ୨୮ ଏକରରେ ପରିବ୍ୟାପ୍ତ ଏହି ଉଦ୍ୟାନ ମଧ୍ୟରେ ଛୋଟଛୋଟ ଛୁଆ ମାନଙ୍କପାଇଁ ଶିକ୍ଷଣୀୟ ବିଷୟ ରହିଥିବାବେଳେ ବଡ଼ଲୋକମାନଙ୍କ ପାଇଁ ମଧ୍ୟ ଅନେକ କିଛି ଜାଣିବାପାଇଁ ଓ ଯାହା କେବେ ଶୁଣିଥିଲେ, ପଢିଥିଲେ ସେଗୁଡିକୁ ଦେଖିବାର ସୁଯୋଗ ମଧ୍ୟ ରହିଛି l

ଉଦ୍ୟାନ ମଧ୍ୟରେ ବିରାଟବଡ଼ ଭାରତୀୟ ମାନଚିତ୍ର କରି, ୨୮ ରାଜ୍ୟର ରାଜ୍ୟଗଛ ଗୁଡିକୁ ସ୍ଥାନ ଦିଆଯାଇଛି l ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରୁଥିବା ବୃକ୍ଷ ବର, ଅଶ୍ଵସ୍ଥ,ନିମ୍ବ, ଅଁଳା, କଇଠ, ତେନ୍ତୁଳି, ବେଲ, ଆମ୍ବ ଭଳି ଗଛ ଗୁଡିକ ମଧ୍ୟ ଲଗାଯାଇଛି,ଏହାସହ ଉଦ୍ୟାନର ଏକ ସ୍ୱତନ୍ତ୍ର ସ୍ଥାନରେ ସୀତାଫଳ, ରାମଫଳ, ଲକ୍ଷ୍ମଣଫଳ ଓ ହନୁମାନଫଳ ଗଛ ଲଗାଯାଇ, ଗଛଗୁଡିକୁ ଲାଲ କପଡା ବାନ୍ଧାଯାଇଛି l ଉଦ୍ୟାନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତି ସୁନ୍ଦର ଭାବେ ସଜେଇ ହୋଇରହିଛି ବର୍ଣ୍ଣମାଳା ଉଦ୍ୟାନ l ଏବେଠାରୁ ଦେଖଣାହାରୀଙ୍କ ଭିଡ଼ ଜମିବାକୁ ଲାଗିଲାଣି, ଆଗାମୀ ଦିନରେ ଲୋକମାନେ ଆସି ବୁଲାବୁଲି କରି ଭୋଜିଭାତ କରିବାପାଇଁ ମଧ୍ୟ ବ୍ୟବସ୍ଥା କରିବାର ଯୋଜନା ରଖିଛି ବନବିଭାଗ l

Comments are closed.