Latest Odisha News

BREAKING NEWS

ଜେଲରେ ହେବ ରେଡିଓ ଷ୍ଟେସନ, କଏଦୀ ହେବେ ଆରଜେ !

ଭୁବନେଶ୍ୱର: ଏବେ ଜେଲରେ ସଜା କାଟୁଥିବା କଏଦୀମାନେ ହେବେ ଆରଜେ ଆଉ କହିବେ ନିଜ ମନର କଥା । ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏହା ସତ । ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି କାରାଗାର ଡିଜି ସତ୍ୟଜିତ ମହାନ୍ତି ।

ଜନସାଧାରଣକୁ ଏହି ପରିକଳ୍ପନା ବଲିଉଡ ଫିଲ୍ମ ‘ସଞ୍ଜୁ’ର କାହାଣୀ ପରି ଲାଗିପାରେ । ଯେଉଁଥିରେ କି ଅଭିନେତା ରଣବୀର କପୁରଙ୍କୁ ଘଟଣାକ୍ରମେ ଜେଲ୍ ଯିବାକୁ ପଡିଛି । ଆଉ ଜେଲ୍ ଭିତରେ କଏଦୀ ଭାବେ କାଳାତିପାତ କରି ଧିରେଧିରେ ସେ ଅବସାଦଗ୍ରସ୍ତ ହେଉଛନ୍ତି । କାଳକ୍ରମେ ସେ ରେଡିଓ ଜରିଆରେ ନିଜ ମନର କଥା ଓ ବ୍ୟଥାକୁ କାହାଣୀ ରୂପେ ପରିପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଏହାଦ୍ୱାରା ଅନ୍ୟ କଏଦୀମାନେ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଅଣ୍ଟା ଭିଡିଥିଲେ ।

ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏହି ଘଟଣା ଖୁବଶୀଘ୍ର ଓଡିଶାରେ ସତ ହେବାକୁ ଯାଉଛି । ରାଜ୍ୟର ଝାରପଡା ଓ ଚୌଦ୍ୱାର ଜେଲରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜେଲରେ ଏକ ସ୍ୱତନ୍ତ୍ର ରେଡିଓ ଷ୍ଟେସନ୍ ପ୍ରତିଷ୍ଠା ହେବାକୁ ଯାଉଛି । ସେହି ସ୍ୱତନ୍ତ୍ର ଷ୍ଟୁଡିଓରୁ କଏଦୀମାନେ ରେଡିଓ ଜକି(ଆରଜେ) ହୋଇ କହିବେ ନିଜ ମନ ତଳର କଥା ଏବଂ ଅନ୍ୟ କଏଦୀମାନେ ଶୁଣିବେ ନିଜ ନିଜ ମନ ପସନ୍ଦର ଗୀତ ।

ଏପରିକି କଏଦୀମାନଙ୍କ ମଧ୍ୟରେ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ ।

ନିକଟ ଅତୀତରେ ବିଭିନ୍ନ ଜେଲ୍ ପରିଦର୍ଶନ କରି ଫେରିବା ପରେ ଏଭଳି ପରିକଳ୍ପନା କରିଛନ୍ତି କାରାଗାର ଡିଜି । ଏପରିକି ରାଜ୍ୟରେ ଏହାକୁ ବାସ୍ତବ ରୂପ ଦେବା ଲାଗି ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ଟ୍ୟାଲେଣ୍ଟ ଖୋଜା ଚାଲିଛି ।
ଶ୍ରୀ ମହାନ୍ତିଙ୍କ କହିବାନୁଯାୟୀ, ଜେଲରେ ରହିବା ଫଳରେ କଏଦୀ ମାନେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ସେମାନେ ଏହାଦ୍ୱାରା ନିଜ ମନର ଭାବାବେଗ ପରିପ୍ରକାଶ କରିବେ, ଯାହାଦ୍ୱାରା ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ଏହି ଯୋଜନା ପ୍ରଥମେ ୨ଟି ଜେଲରେ କାର୍ଯ୍ୟକ୍ଷମ ହେବ ଏବଂ ପରବର୍ତ୍ତୀ ସମୟରେ ୫ଟି ସର୍କଲ ଜେଲରେ ଏଭଳି ବ୍ୟବସ୍ଥା କରାଯିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.