Latest Odisha News

BREAKING NEWS

ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ

ଭୁବନେଶ୍ୱର: ଓଡ଼ିଆ ଭାଷାର ସର୍ବବୃହତ ଓ ସର୍ବପ୍ରଥମ ବିଶ୍ୱକୋଷ (ଏନ୍‍ସାଇକ୍ଲୋପିଡ଼ିଆ) ‘ଜ୍ଞାନମଣ୍ଡଳ’ର ସଂପୂର୍ଣ୍ଣ ପେପରବ୍ୟାକ୍‍ ସଂସ୍କରଣ ଏବେ ଉପଲବ୍ଧ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦଶଟି ଖଣ୍ଡରେ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ଏବେ ସ୍କୁଲ, କଲେଜ୍‍ ତଥା ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ ମାତ୍ର ୪ ହଜାର ଟଙ୍କାର ସୁଲଭ ମୂଲ୍ୟରେ କିଣିବାକୁ ମିଳିବ ।

ଆଜି ସଂଧ୍ୟାରେ ଜ୍ଞାନମଣ୍ଡଳ କେନ୍ଦ୍ର ପରିସରରେ ଲୋକାର୍ପିତ ହୋଇଯାଇଛି ବିନୋଦ କାନୁନଗୋଙ୍କ ରଚିତ ଏହି ବିଶ୍ୱକୋଷ, ଯାହାର ସଂପାଦନା କରିଛନ୍ତି ବିଶିଷ୍ଟ ଗବେଷକ ଦୀପକ କାନୁନଗୋ । ବରିଷ୍ଠ କଥାକାର ବିଭୂତି ପଟ୍ଟନାୟକ, ଡକ୍ଟର ଅରବିନ୍ଦ ପଟ୍ଟନାୟକ, ପଦ୍ମଚରଣ ନାୟକ, ନୃସିଂହ ସାହୁ, ଡା. ଆଲୋକ କାନୁନଗୋ ପ୍ରମୁଖ ବିଦ୍ୱାନ ଓ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇ ଏହି ପୁସ୍ତକଟିକୁ ଅନାବରଣ କରିଥିଲେ ।

ବିନୋଦ କାନୁନଗୋ

ଏଠାରେ ସୂଚନା ଦିଆଯାଇପାରେ ଯେ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ହେଉଛନ୍ତି ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା ବେଳେ ସେ ଏହାକୁ ସମ୍ଭବ କରି ଦେଖାଇଥିଲେ । ୧୯୫୪ରେ ହାତରେ ମାତ୍ର ଟଙ୍କାଟିଏ ଧରି ସେ ଗାଁରୁ କଟକ ବାହାରିଥିଲେ ‘ଜ୍ଞାନମଣ୍ଡଳ’ ପ୍ରସ୍ତୁତି ପାଇଁ । ୧୯୬୦ ଡିସେମ୍ବର ୨ ତାରିଖରେ ‘ଜ୍ଞାନମଣ୍ଡଳ’ର ପ୍ରଥମ ଭାଗ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ୧୯୮୮ ସୁଦ୍ଧା ଏହାର ୩୨ ଖଣ୍ଡ ପ୍ରକାଶିତ ହୋଇଥିଲା । କେବଳ ବିଶ୍ୱକୋଷ ନୁହେଁ, ‘ପିଲାଙ୍କ ବିଶ୍ୱକୋଷ’, ‘ଶିଶୁ ଜ୍ଞାନମଣ୍ଡଳ’ ଆଦି ସଂପାଦନା କରି ସେ ଓଡ଼ିଆ ଜ୍ଞାନଭଣ୍ଡାରକୁ ପରିପୂର୍ଣ୍ଣ କରିଯାଇଛନ୍ତି । ଏତତ୍ ବ୍ୟତୀତ ‘ଉକ୍ରଳ ଦର୍ପଣ’, ‘ଚଳନ୍ତା ରାଇଜର ଅମୁହାଁ ନଈ’ ପରି ଅନେକ ପୁସ୍ତକର ମଧ୍ୟ ସେ ସାର୍ଥକ ସ୍ରଷ୍ଟା । ‘ଛାତିକି ପଥର କରି’ ପୁସ୍ତକ ପାଇଁ ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୮୬ରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.