Latest Odisha News

ଓଡିଶାର ଖୋକା ସାର୍; ଯାହାଙ୍କ ସଙ୍ଗାତ ସାପ ଓ ମୟୂର

କେନ୍ଦୁଝର: ସାଧାରଣତଃ ସାପକୁ ଦେଖିଲେ ସମେସ୍ତ ଭୟଭୀତ ହୋଇପଡିଥାନ୍ତି । ଏପରିକି ମଣିଷ କୌଣସି ଅଘଟଣକୁ ଏଡାଇବାକୁ ଯାଇ ବେଳେବେଳେ ସାପକୁ ମାରିବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜିର ସମାଜରେ କିଛି ଏଭଳି ଲୋକ ଅଛନ୍ତି, ଯେଉଁମାନେ ସରୀସୃପଙ୍କୁ ନିଜର ସାଙ୍ଗ ଭଳି ବ୍ୟବହାର କରିଥାନ୍ତି ।

ଏଭଳି ଜଣେ ଭିନ୍ନ ମଣିଷ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସ୍ଥିତ ଆନନ୍ଦପୁରର ୮୬ ବର୍ଷୀୟ ସୁଭାଷ ସିଂହ ଓରଫ୍ ଖୋକା ସାର୍ । ସେ ଆଜକୁ ପ୍ରାୟ ୬୬ ବର୍ଷ ହେବ ସାପମାନଙ୍କ ମେଳିରେ ରହିଆସୁଛନ୍ତି । ଏହା ତାଙ୍କୁ ଖୁବ୍ ଆନନ୍ଦ ଦେଇଥାଏ ବୋଲି କୁହନ୍ତି ଖୋକା ସାର୍ ।

ଏସମ୍ପର୍କରେ ଖୋକା ସାର୍ କୁହନ୍ତି ଯେ, ମଁ ପ୍ରଥମେ ସାପ ମାନଙ୍କୁ ଜଙ୍ଗଲ ମଧ୍ୟରେ ଏକ ମାଟି କଳସରେ ରଖିଥାଏ । ଯେତେବେଳେ ମୋତେ ଲାଗେ ଯେ ସାପମାନେ ଏବେ ପୋଷା ମାନୁଛନ୍ତି, ସେତେବେଳେ ମୁଁ ତାଙ୍କୁ ଘରେ ଆଣି ରଖିଥାଏ । ବର୍ତ୍ତମାନ ସମୟରେ ଘରେ ପ୍ରାୟ ୨୦ରୁ ୨୫ଟି ବିଭିନ୍ନ ପ୍ରଜାତିର ସାପ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଗୋଖର ,ତମ୍ପ, ରଣା, ଅଜଗର ଓ ଅହିରାଜ ଭଳି ପ୍ରଜାତି ରହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏମାନଙ୍କୁ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ କିମ୍ବା କୌଣସି ଉପକାର ପାଇବା ଆଶାରେ ରଖିନାହିଁ । ଏହା ମୋର ଏକପ୍ରକାର ସଉକ । ଗୃହପାଳିତ ପଶୁ ଗାଈଗୋରୁଙ୍କ ଭଳି ସାପମାନେ ମଧ୍ୟ ଏକାଠି ରୁହନ୍ତି ଆଉ କିଛି କ୍ଷତି କରନ୍ତି ନାହିଁ ।

ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର ଚାକିରି ଜୀବନ ସମାପ୍ତ କରିବା ପରେ ଏହି ପଶୁପକ୍ଷୀଙ୍କ ପ୍ରେମରେ ପଡିଯାଇଛନ୍ତି । ଏହାବ୍ୟତିତ ଆଖପାଖ ଖଣ୍ଡରେ ସାପ ଦଂଶନରେ ପିଡିତ ବ୍ୟକ୍ତି ସିଧା ଧାଇଁ ଆସନ୍ତି ଖୋକା ସାରଙ୍କ ପାଖକୁ । ଖୋକା ସାରଙ୍କୁ ପ୍ରଶଂସା କରି ଗ୍ରାମବାସୀମାନେ ମଧ୍ୟ କୁହନ୍ତି, ସାରଙ୍କ ନାମ ଧରିଲେ ସାପ କାମୁଡା ରୋଗୀର ଅଧାବିଷ ଆପେ ଆପେ ଝଡିଯାଇଥାଏ ।

ଆହୁରି ମଧ୍ୟ ସାପକୁ ନେଇ ଆମ ମନରେ ବହୁ ଅନ୍ଧବିଶ୍ୱାସ ଯୋଡି ହୋଇ ରହିଛି । ଏପରିକି ସାପ କାମୁଡିଲେ ଗୁଣିଆ ପାଖକୁ ନଯାଇ ଡାକ୍ତରଙ୍କ ପାଖକୁ ଯିବା ପାଇଁ ସେ ଲୋକମାନଙ୍କୁ ସଚେତନ କରିଥାନ୍ତି ।

ସାପ, ମୟୁର ଓ ନେଉଳ ଭଳି ପ୍ରାଣୀକୁ ଏକାଠି ଖେଳୁଥିବାର ଦୃଶ୍ୟ କେବଳ ଖୋକା ସାରଙ୍କ ଘରେ ଦେଖିବାକୁ ମିଳିଥାଏ । ଯାହା ଅନ୍ୟମାନଙ୍କୁ ସ୍ତମ୍ଭୀଭୂତ କରିଥାଏ ।

କେବଳ ଏତିତି ନୁହେଁ ନିଜର ଅଭିନବ କାର୍ଯ୍ୟକଳାପ ପାଇଁ ଖୋକା ସାର୍ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଦର୍ଶ ଶିକ୍ଷକ, ପ୍ରକୃତି ବନ୍ଧୁ, ଆନନ୍ଦପୁର ଗୌରବ ସମ୍ମାନ ସମେତ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଠାରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।

Leave A Reply

Your email address will not be published.