Latest Odisha News

ଥାଇଲାଣ୍ଡ ‘ଆନ୍ତର୍ଜାତିକ ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ପ୍ରତିଯୋଗିତା: ଓଡ଼ିଆ ଝିଅ ଲାବଣ୍ୟା ଜିତିଲେ ୩ଟି ପୁରସ୍କାର

ଭୁବନେଶ୍ୱର : ଲାବଣ୍ୟା ଦାସ । କୁନି ଝିଅଟିଏ । ଏପଟେ ପାଠପଢା ସେପଟେ ଦୁନିଆକୁ ଜିତିବାର ପଣ । ଭୁବନେଶ୍ୱର ଡ଼ିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଲାବଣ୍ୟା ଆଖିରେ ଅନେକ ସ୍ୱପ୍ନ । ଓଡ଼ିଶୀ ନୃତ୍ୟର ମଙ୍ଗଳାଚରଣରୁ ଆରମ୍ଭ କରି ରକ୍ ହିପହପ୍ ଡ଼୍ୟାନ୍ସରେ ଏହି କୁନି ଝିଅଟିର ପାରଙ୍ଗମତା ଦେଖିଲେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ ।

ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ‘ପ୍ରିନ୍ସ ଏଣ୍ଡ ପ୍ରିନସେସ’ ପ୍ରତିଯୋଗିତାର ପ୍ରି-ଟିନ କ୍ୟାଟେଗୋରୀରେ ଭାରତକୁ ପ୍ରତିନିଧିତ୍ୱ କରି କୃତିତ୍ୱ ହାସଲ କରିଛନ୍ତି ଏହି ଓଡ଼ିଆ ଝିଅ ଲାବଣ୍ୟା ଦାସ ।

ଲାବଣ୍ୟା ଥାଇଲାଣ୍ଡରେ ତିନି ତିନୋଟି ପୁରସ୍କାର ଜିତି ଓଡ଼ିଶାକୁ ଗର୍ବିତ କରିଛନ୍ତି । ସେ ବେଷ୍ଟ କଷ୍ଟ୍ୟୁମ, ବେଷ୍ଟ ଆଉଟଷ୍ଟାଣ୍ଡିଂ ଆଚିଭର୍ ୨୦୧୮ ଏବଂ ବେଷ୍ଟ ଫୋକଡ୍ୟାନ୍ସର୍ ପୁରସ୍କାର ଜିତି ପାରିଛନ୍ତି । ଥାଇଲାଣ୍ଡରେ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ସମ୍ମାନଜନକ ପୁରସ୍କାର ଜିତିବା ପରେ ଲାବଣ୍ୟା ଓଡ଼ିଶା ଫେରିଛନ୍ତି ।

ଲାବଣ୍ୟା ଭାରତରୁ କେବଳ ଏକମାତ୍ର ପ୍ରି-ଟିନ ସ୍କୁଲ କ୍ୟାଟେଗୋରୀର ପ୍ରତିଯୋଗୀ ଭାବେ ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ସେ ତିନୋଟି ପୁରସ୍କାର ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିପାରିଛନ୍ତି । ପିଲାମାନଙ୍କର ଏହି ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ୨୦ଟି ଦେଶର ପିଲାମାନଙ୍କୁ ନେଇ ଥାଇଲାଣ୍ଡର ଫୁକେଟ ସହରରେ ଅନୁଷ୍ଠିତ ହୋଇଥିଲା ।

ସେ ଯେଉଁ ଓଡ଼ିଶାର ପାରମ୍ପରିକ ପୋଷାକ ପିନ୍ଧି କଷ୍ଟ୍ୟୁମ ପ୍ରତିଯୋଗିତାରେ ୧ମ ସ୍ଥାନ ହାସଲ କରିଥିଲେ, ସେହି କଷ୍ଟ୍ୟୁମ ଥିଲା ଓଡ଼ିଶାର ଲୋକପ୍ରିୟ ପଟ୍ଟଚିତ୍ରର ଡ଼ିଜାଇନ ।

ଏହି ପଟ୍ଟଚିତ୍ର କଷ୍ଟ୍ୟୁମ୍ ଡ଼ିଜାଇନ୍ କରିଥିଲେ ସ୍ୱନାମଧନ୍ୟ ଓଡ଼ିଆ ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ହୋତା । ପୁରସ୍କୃତ ହୋଇଥିବା ଏହି ନ୍ୟାସନାଲ କଷ୍ଟ୍ୟୁମ ଡ଼ିଜାଇନ୍ ର ଟାହିଆ ତଥା ଅନ୍ୟ କଷ୍ଟ୍ୟୁମ୍ ଗୁଡ଼ିକୁ ଡ଼ିଜାଇନର୍ ଉପେନ୍ଦ୍ର ପୁରୋହିତ କରିଛନ୍ତି ।

ସେହିପରି ଏହି ସମସ୍ତ ନ୍ୟାସନାଲ ଡ଼ିଜାଇନ୍ ର ଡ଼ିଜାଇନ୍ ଦେଇଛନ୍ତି ବେଶ୍ ଜଣାଶୁଣା ଡ଼ିଜାଇନର୍ ମୋତିଆଲୁ ଦଳେଇ । ନ୍ୟାସନାଲ କଷ୍ଟ୍ୟୁମ୍ ବ୍ୟତୀତ ଲାବଣ୍ୟା ଏହି ପ୍ରତିଯୋଗିତାରେ ବ୍ୟବହାର କରିଥିବା ଅନ୍ୟ କଷ୍ଟ୍ୟୁମ୍ ଗୁଡ଼ିକର ଡ଼ିଜାଇନ୍ କରିଥିଲେ ଡ଼ିଜାଇନର୍ ବିନୟ ମୁଣ୍ଡା ।

ଲାବଣ୍ୟାଙ୍କ ପିତା ସୁବ୍ରତ କୁମାର ଦାସ ଏବଂ ମାତା ଲିପିକା ଦାସ ମଧ୍ୟ ଲାବଣ୍ୟାଙ୍କ ସହିତ ଥାଇଲାଣ୍ଡ ଯାଇ ତାଙ୍କୁ ଉତ୍ସାହିତ କରିଥିଲେ ।

ଲାବଣ୍ୟାଙ୍କ ଏହି ଆନ୍ତର୍ଜାତିକ ସଫଳତା ହାସଲ ପରେ ତାଙ୍କ ମାଆ ଲିପିକା ଦାସ କହିଛନ୍ତି – “ଲାବଣ୍ୟା ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଓଡ଼ିଶାର ପାରମ୍ପରିକ ପୋଷାକ ପରିଧାନ କରିବା ସହିତ ପୁରସ୍କାର ଜିତି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିପାରିଛି ।

ଏହା ତା’ଲାଗି ବହୁତ ବଡ଼ ସଫଳତା । ଲାବଣ୍ୟା ଗତବର୍ଷ କେରଳରେ ଅନୁଷ୍ଠିିତ ହୋଇଥିବା ପ୍ରି-ଟିନ ଜୁନିୟର ଲେବଲ୍ ପୁରସ୍କାର ଜିତିବା ପରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିବା ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ପୁରସ୍କାର ଜିତି ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛି ।

ସେ ପ୍ରଥମ ଶ୍ରେଣୀରୁ ହିଁ ପାଠପଢା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ହାସଲ କରିପାରିଛି ।

ସେ ଅନେକ ଦିନରୁ ଭୁବନେଶ୍ୱରର ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟିଡ଼ିଓରେ ପ୍ରଶିକ୍ଷଣ ନେବା ସହିତ ନିଜକୁ ଏହି ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରୁଥିଲା ।

ଏହି ସଫଳତା ହାସଲରେ ତା’ର ବାପା ସୁବ୍ରତ କୁମାର ଦାସ, କୋଚ ଆନି ଓ ରେହାନ ମହମ୍ମଦ ର୍ୟାମ୍ପ ଓ କଷ୍ଟ୍ୟୁମ ଲାଗି ଅନେକ ସହଯୋଗ କରିଛନ୍ତି । ”

Leave A Reply

Your email address will not be published.