Latest Odisha News

BREAKING NEWS

କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବେ ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ

ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର। ୨୦୨୪ ମସିହା ପାଇଁ ଓଡ଼ିଆ ଭାଷା ଲାଗି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ। ଅନୁବାଦକ ସୁଭାଷ ଶତପଥୀ ‘କୋକିଶିଆଳିର ଏକକ ନୃତ୍ୟ’ ଶୀର୍ଷକ ବିଶିଷ୍ଟ ଇଂରାଜୀ ଲେଖକ ରସ୍କିନ୍ ବଣ୍ଡ୍‌ଙ୍କ ଆତ୍ମଜୀବନୀ ‘ଲୋନ ଫକ୍ସ ଡ୍ୟାନ୍ସିଂ’ ର ଅନୁବାଦ ପାଇଁ ଏହି ପୁରସ୍କାର ପାଇବେ। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏକାଡେମୀ ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପୁରସ୍କାର ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ଏହି ମର୍ଯ୍ୟାଦାଜନକ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି।

ପୁରସ୍କାର ବାବଦକୁ ଶ୍ରୀ ଶତପଥୀଙ୍କୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର ଓ ଏକାଡେମୀ ପ୍ରଶସ୍ତି ଫଳକ ପ୍ରଦାନ କରାଯିବ । ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଅକାଡେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା ଥିଲେ । ତେବେ ପ୍ରକାଶିତ ସରକାରୀ ବିଜ୍ଞପ୍ତିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ନେପାଳୀ ଏବଂ ସଂସ୍କୃତ ଭାଷା ପାଇଁ ପୁରସ୍କାର ପରେ ଘୋଷଣା କରାଯିବ। ତେବେ ଚଳିତ ବର୍ଷ ଉର୍ଦ୍ଦୁ ଭାଷା ପାଇଁ କୌଣସି ପୁରସ୍କାର ଦିଆଯିବ ନାହିଁ ଜଣାପଡିଛି ।

ସୂଚନାଯୋଗ୍ୟ, ୧୯୮୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର କରିଥିବା ଶତପଥୀ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସୁଭାଷ ଶତପଥୀଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ‘ସଂସାର’, ‘ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ’, ‘ସମୁଦ୍ର କୂଳର ଗାଁ’, ‘ଖୁଶୱନ୍ତ ସିଂହଙ୍କ ଗଳ୍ପ’, ‘ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ’, ‘ବିଭାଜନ’ ଆଦି। ତାଙ୍କ ରଚନାରେ ବିଶିଷ୍ଟ ଓଡ଼ିଆ ରାଜନେତା ହରେକୃଷ୍ଣ ମହତାବଙ୍କ ଜୀବନୀର ଇଂରାଜୀ ପରିବେଷଣ, ନିତ୍ୟାନନ୍ଦ କାନୁନଗୋଙ୍କ ଜୀବନୀ ଏବଂ ଓଡ଼ିଆ ଜାତୀୟତାବାଦର ବିଷୟବସ୍ତୁକୁ ଅନୁସନ୍ଧାନ କରୁଥିବା ଏକ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ । କହିରଖୁଛୁ ଯେ, ଶ୍ରୀ ଶତପଥୀ ବର୍ତ୍ତମାନ ସେ ସେ ଓଡ଼ିଆ ଦୈନିକ ଖବରକାଗଜ ‘ପ୍ରମେୟ’ର ଫିଚର ସମ୍ପାଦନା  ବିଭାଗରେ କାର୍ଯ୍ୟରତ।

 

 

Comments are closed.