Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦର ଗଠନ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୮ 

ଗଠନ ପ୍ରକ୍ରିୟା ଶବ୍ଦର
ଯୋଗ ଓ ବିଯୋଗ ନିର୍ଭର
‘ ବି ‘ ଯୁକ୍ତ ହେବା ହେତୁ ‘ ଯୋଗ ‘
ସଂଭୂତ ହୁଅଇ ‘ ବିଯୋଗ ‘

ତଦ୍ରୂପ ‘ ସୁଯୋଗ, ଦୁର୍ଯୋଗ
ଅଭିଯୋଗ ଓ ଉପଯୋଗ ‘
‘ ତତ୍ତ୍ବ ‘ ରୁ ‘ ତ୍ବ ‘ ନେଲେ ଫେଡ଼ି
‘ ତତ୍‌ ‘ ଏକାକୀ ଥାଏ ପଡ଼ି

‘ ତତ୍‌ ‘ ସହ ‘ କାଳ, ପର ‘ ଯୋଡ଼ି
‘ ତତ୍କାଳ, ତତ୍ପର ‘ କୁ କାଢ଼ି
ଶିଖିଲେ ଗଠନ କୌଶଳ
ବଢ଼ିବ ସ୍ବଭାଷାର ବଳ

ଶବ୍ଦାଂଶ କଲେ ବିଶ୍ଳେଷଣ
ମିଳିବ ଶୁଦ୍ଧ ଶବ୍ଦଜ୍ଞାନ
ବନାନ ହେବ ତ୍ରୁଟିହୀନ
ଭାଷା ବି ସମୃଦ୍ଧି ସଂପନ୍ନ

ଧାତୁ, ପ୍ରତ୍ୟୟ , ଉପସର୍ଗ
କରିଲେ ଯଥାର୍ଥ ପ୍ରୟୋଗ
ପ୍ରଶସ୍ତ ହୁଏ ଭାଷା ମାର୍ଗ
ଅକ୍ଷୁଣ୍ଣ ରହେ ଭାଷା ଦୁର୍ଗ

ଏପରି ଯୋଡ଼ା ଫେଡ଼ା ବଳେ
ଶବ୍ଦର ଭଂଗା, ଗଢ଼ା ଚଳେ
ଶବ୍ଦର ପୂର୍ବାପର ଅଂଶ
ଦେଖାଂତି ଭାଷାର ସାରାଂଶ

ହେଉ ଅଧିକ ବିସ୍ତାରିତ
ପ୍ରାଚୀନ ଜ୍ଞାନସିଦ୍ଧ ସତ
ପ୍ରକଟ, ଉତ୍କଟ, ବିକଟ
‘ପ୍ର, ଉତ୍‌, ବି’ ଯୁକ୍ତ ‘ କଟ ‘

ଆଚାର, ବିଚାର, ସଂଚାର
‘ ଆ, ବି, ସଂ ‘ ଯୁକ୍ତ ‘ ଚାର ‘
କରି ଏପରି ଶବ୍ଦାର୍ଜନ
ବଢ଼ାଉଁ ଭାଷାର ସମ୍ମାନ

ଭାଷାରେ ନାହିଁ କିଛି ତ୍ରୁଟି
ଯିଏ ଶିଖିନି ଶବ୍ଦ ଘାଂଟି
ତାହା ମନରେ ଥାଏ ଦ୍ବିଧା
ଏହା ହିଁ ମୁଖ୍ୟ ଅସୁବିଧା

ଦ୍ବିଧା ଓ ଆଳସ୍ୟ ବଇରୀ
ଭାଷା ଗରିମା ନିଏ ହରି
ଏ ସତ୍ୟ ଅନୁଭବ କରି
ହେଉଁ ସ୍ବଭାଷା ସେବାକାରୀ

 

Comments are closed.