Latest Odisha News

ଭାଷା ଭାଗବତ : ଅମୃତ କି ଗରଳ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରତ୍ୟକ୍ଷ ଯଶାର୍ଜନ ପାଇଁ
ସଭାରେ ଠିଆ ହେଲେ ଯାଇ
ଶୁଭିବ ଯେତେ କରତାଳି
ଅର୍ଥ କାଢ଼ିବ କେତେ ଭଳି

ସଭାର ଆୟୋଜନକାରୀ
ହେଲେଁ ହେଁ ଧନ ଅଧିକାରୀ
ମନରେ ଥାଏ ଯଶେଷଣା
ତେଣୁ ହୁଅଂତି ଜଣାଶୁଣା

ଲେଖକ ସଂଗ ଲାଭ କରି
ଉତ୍‌ଫୁଲ୍ଲ ହେଲେ ହେଁ ବେପାରୀ
ସବୁଠି ଲୋଡ଼େ ବେଶି ଲାଭ
ଲୋକେ କରଂତି ଅନୁଭବ

ସାହିତ୍ୟ-ମେଳା ବ୍ୟବସାୟ
ହେବାରୁ କବି କତିପୟ
କରଂତି ପୃଥିବୀ ଭ୍ରମଣ
ହାତରୁ ସରେନାହିଁ ଧନ

ପାଠକ ନ ଥିବାର ଗ୍ଳାନି
ଲୁଚାଂତି ଯେଣୁ ବୁଝି, ଜାଣି
କରଂତି ମଂଚ ଆରୋହଣ
ବସଂତି ବିଗ୍ରହ ସମାନ

ଲେଖକ କଲେ ପର୍ଯଟନ
ତାଂକର ନିଜର ଲିଖନ
କ୍ରମଶଃ ହୋଇଯାଏ ମ୍ଳାନ
ଏହା କି ଅଟେ ସମୀଚୀନ

କରିଲେ ଔଚିତ୍ୟ ବିଚାର
ଦୁର୍ଲଭ ହୋଇବ ପ୍ରଚାର
କବି, ଲେଖକ ଏହା ଜାଣି
ଆୟୋଜକଂକ କଥା ମାନି

ହୁଅଂତି ଚଳ ଓ ପ୍ରଚଳ
ଏପରି ତାଂକ ମନୋବଳ
ଅମୃତ ମିଳେ କି ଗରଳ
ଅଜ୍ଞାତ ରହେ ଫଳାଫଳ

ସଭିଏଁ ରହିଲେ ନିରବ
କମିବ ଭାଷାର ଗୌରବ
ଅଳପ କହି, ବେଶି ଲେଖି
ପାରିବା ଭାଷା ମାନ ରଖି

କବିତା, ଲେଖକ, ପାଠକ
ତିନିହେଁ ଭାଷା ସମର୍ଥକ
କେହି କାହାଠୁଁ ହେଲେ ଛିନ୍ନ
ଘଟେ ଭାଷାର ଅବସାନ

Comments are closed.