Latest Odisha News

BREAKING NEWS

ଭାଷା ଭାଗବତ : ଶୁଦ୍ଧତା ବିନାଶୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସମସ୍ୟା କଲେ ଆଲୋଚନା
ସମାଧାନ ପଡ଼େନି ଜଣା
ପୁରୁଣା ସମସ୍ୟାକୁ ଘାଂଟି
ସମାଧାନ ହୁଏନି ଭେଟି

ନୂଆ ଢଂଗରେ କରି ଚିଂତା
ସ୍ବୀକାର କଲେ ବାସ୍ତବତା
ଉଦ୍‌ଭୂତ ହୁଏ ସମାଧାନ
ଏହା ହିଁ ପ୍ରକୃତି ବିଧାନ

ଏକ ପ୍ରକାର ଉପଚାର
କରିଚାଲିଲେ ବାରଂବାର
ରୋଗୀଟି ଯାଏ ସିନା ମରି
ରୋଗକୁ ହୁଏନି ସଂହାରି

ରୋଗୀର ବ୍ୟୟଶକ୍ତି ବୁଝି
ଚିକିତ୍ସା କରିବାକୁ ରାଜି
ହୁଅଂତି ଯେଉଁ ଚିକିତ୍ସକ
ସିଏ ତ ପ୍ରକୃତ ଘାତକ

ଭାଷାରେ କରୁଁ ଯେତେ ତ୍ରୁଟି
ପ୍ରସଂଗ ବାରଂବାର ଘାଂଟି
କରୁଛୁଁ ଯେମିତି ପ୍ରଚେଷ୍ଟା
ତହିଁରେ ମିଶୁନାହିଁ ନିଷ୍ଠା

ଯାହା ବି ହୁଏ କାମଚଳା
ତହିଁରେ ବିଧି ଓ ଶୃଂଖଳା
ସାଧାରଣତଃ ରହେନାହିଁ
ଦାୟିତ୍ବ ନିଅଂତିନି କେହି

ଗଣେଶ ଆଉ ସରସ୍ୱତୀ
ନିରବେ ସବୁ ଦେଖୁଛଂତି
ତାଂକ ପୂଜକଗଣ ମିଶି
ହେଲେଣି ଶୁଦ୍ଧତା ବିନାଶୀ

ଲେଖକେ ହେଲେ ସ୍ବେଚ୍ଛାଚାରୀ
ଉନ୍ନତି ହୁଏନି କାହାରି
ଅଶୁଣା ଶବ୍ଦ ଲେଖି ଲେଖି
ଲେଖକେ ଯାଆଂତିନି ଥକି

କଥିତ, ଲିଖିତ ମଧ୍ୟରେ
ଅଳ୍ପ ପାର୍ଥକ୍ଯ ରହିପାରେ
ବିଭେଦ ରହିଲେ ଅଧିକ
ଅବୋଧ୍ୟ ହୁଏ ପାଠତକ

କାଳାନୁଗତ ହେଲେ ଲେଖା
ଆପେ ହୁଏ ମର୍ଯାଦା ହୁଏ ଟେକା
ଯେଉଁ କାଳ ଗଲାଣି ବିତି
ତାହା ଧାରଣ କରେ ସ୍ମୃତି

ସ୍ମୃତିଆଶ୍ରିତ ଗ୍ରଂଥାବଳି
କାଳର ଇତିବୃତ୍ତ ଭଳି
ଥିଲେ ବି ପାରଂତିନି ଚଳି
କାଳ ତ ଯାଇଛି ବଦଳି

Comments are closed.