Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ମୁଁ ମହାନ୍ ତେଜସ୍ୱୀ ବ୍ରହ୍ମର୍ଷି କୁଶଧ୍ୱଜଙ୍କ କନ୍ୟା ବେଦବତୀ । ମୋର ପିତା ବେଦାଭ୍ୟାସ କରୁଥିବା ସମୟରେ ମୋର ନିର୍ମାଣ କରିଛନ୍ତି। ନାରାୟଣଙ୍କୁ ସ୍ୱାମୀ ରୂପେ ଲାଭ କରିବା ପାଇଁ ତପସ୍ୟା କରୁଛି। ”

ଅଟ୍ଟହାସ୍ୟ କରି ରାବଣ କହିଲେ, ” ତୁମର ଏ ସୁନ୍ଦର କୋମଳ କାୟା, କଠୋର ତପସ୍ୟା ନିମିତ୍ତ ନୁହେଁ, ବରଂ ତ୍ରିଲୋକବିଜୟୀ ସୌନ୍ଦର୍ଯ୍ୟର ପୂଜାରୀ ରାବଣର ଅଂକଶାୟିନୀ ହେବା ପାଇଁ ବିଧାତା ସୃଷ୍ଟି କରିଛନ୍ତି। କାହିଁକି ଏ ଯୌବନକୁ ବ୍ୟର୍ଥ କରିବାର ଜିଦ୍ ରେ ଅଛ ? ”

” ରେ ଦୁଷ୍ଟ ! ଶ୍ରୀବିଷ୍ଣୁଙ୍କୁ ଜାମାତା ରୂପରେ ପାଇବା , ମୋର ପୂଜ୍ୟ ପିତାଙ୍କର ଏକାନ୍ତ ଅଭିଳାଷ ଥିଲା । ଶ୍ରୀହରିଙ୍କୁ ପାଇବା ମୋ ଜୀବନର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ। ”

” ପରନ୍ତୁ ଯେଉଁ ବିଷ୍ଣୁ ତୁମ ସୌନ୍ଦର୍ଯ୍ୟର ମୂଲ୍ୟ ବୁଝେନାହିଁ ତା’ ପାଇଁ ବ୍ୟର୍ଥ କ୍ଳେଶ କାହିଁକି ? ବଳ, ସାମର୍ଥ୍ୟ, ସୌନ୍ଦର୍ଯ୍ୟ, ପରାକ୍ରମ ଏସବୁରେ ମୋ ସହ କୌଣସି ଦେବତା, ଗନ୍ଧର୍ବ , ଦୈତ୍ୟ ତୁଳନୀୟ ନୁହଁନ୍ତି। ତୁମ ବିଷ୍ଣୁ ମଧ୍ୟ ନୁହଁନ୍ତି। ମୋର ପତ୍ନୀ ହୋଇ ସମସ୍ତ ସୁଖ, ଐଶ୍ୱର୍ଯ୍ୟ ଭୋଗ କର। ”

” ମୋର ସ୍ୱାମୀ ଭଗବାନ ବିଷ୍ଣୁଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ। ଏହା ମୋର ପ୍ରତିଜ୍ଞା। ତୁରନ୍ତ ଏ ସ୍ଥାନ ପରିତ୍ୟାଗ କର । ”

” ଲଙ୍କେଶ୍ୱରଙ୍କର ଅବମାନନା ! ମୋତେ ଅସ୍ବୀକାର କରିବାର ଆସ୍ପର୍ଦ୍ଧା !! ରାବଣ ଯାଚନା କରେନାହିଁ ବରଂ ବଳପୂର୍ବକ ତା’ର ଇପ୍ସିତ ବସ୍ତୁକୁ ପ୍ରାପ୍ତ କରେ। ” ଏହିପରି କହି ଦଶାନନ ବେଦବତୀଙ୍କର କେଶ ଆକର୍ଷଣ କଲେ।

କ୍ରୋଧିତା ବେଦବତୀ ତତ୍କ୍ଷଣାତ୍ କେଶକୁ ନିଜ କମରରେ ବାନ୍ଧି ରଖିଥିବା ଛୁରୀକା ଦ୍ୱାରା କାଟିଦେଲେ ଏବଂ ଅଭିଶାପ ଦେଇ କହିଲେ, ‘ ରେ ପାପୀ! ମୋତେ ସ୍ପର୍ଶ କରିବା ପରେ ଏ ଶରୀର ଆଉ ରଖିବାର ସ୍ପୃହା ନାହିଁ। ମୁଁ ଏହିକ୍ଷଣି ଏ ଶରୀରକୁ ଅଗ୍ନିରେ ବିସର୍ଜନ କରିଦେବି। ତୁମର ଅନ୍ତ ପାଇଁ ମୁଁ ଆଉଥରେ ଜନ୍ମ ନେବି। ତୁମ ସର୍ବନାଶର କାରଣ ହେବି। ‘

ବେଦବତୀ ନିଜକୁ ଅଗ୍ନିରେ ବିସର୍ଜନ ଦେଇଦେଲେ। ସେହି ବେଦବତୀ ନିଜର ସାଧନା ଓ ତପସ୍ୟା ବଳରେ ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ ହେଲେ। ସୀତା ସେହି ବେଦବତୀ ଯିଏକି ଲଙ୍କେଶ୍ୱରଙ୍କର ବିନାଶର କାରଣ ହେବ। ”

” ଏକଥା କ’ଣ ପିତାଙ୍କୁ ଜଣା , ବେଦବତୀ ହିଁ ସୀତା ? ”

” ଜଣା ଥାଇପାରେ । ମୋତେ ତୁମ କାକା ଏହି ସକଳ ବୃତ୍ତାନ୍ତ କହିଥିଲେ। ”

” ଦ୍ଵିତୀୟ ଶାପ ତାଙ୍କୁ କିଏ ଦେଇଥିଲେ ଓ କାହିଁକି ? ‘

” ଗନ୍ଧର୍ବ କନ୍ୟା ରମ୍ଭା ”

” ସ୍ୱର୍ଗର ଅପ୍ସରା ରମ୍ଭା ତ ! କିନ୍ତୁ କାହିଁକି ? ”

କ୍ରମଶଃ….

 

Leave A Reply

Your email address will not be published.