Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବେନଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତି “ଓଡ଼ିଶୀ ଆସର” ଆଜି ସଂଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଙ୍ଗମଞ୍ଚ ”ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିମାସରେ ‘ଓଡ଼ିଶୀ ଆସର’ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇ ଆସୁଥିଲା ବେଳେ ଗତ କିଛି ମାସ ଧରି କୋଭିଡ଼ ମହାମାରୀ ର କଟକଣାକୁ ଦୃଷ୍ଟିରେ ରଖି ଏହା ସ୍ଥଗିତ ରହିଥିଲା ।

ଚଳିତ ମାସଠାରୁଏହାର ପୁନଃ ଶୁଭାରମ୍ଭ କରାଯାଇଛି  ।   ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ନୃତ୍ୟ ଏବଂ ସଂଗୀତ ପରିବେଷଣ କରିଥିଲେ । ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହାର ସରକାରୀସ୍ତରରେ ଆଉ ଏକ ପଦକ୍ଷେପ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମଧୁସୂଦନ ପାଢ଼ୀ, ସମ୍ମାନୀତ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପ ଶାସନ ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
ଏହି “ଓଡ଼ିଶୀ ଆସର”ର ଶିଳ୍ପୀମାନେ ଥିଲେ ଓଡ଼ିଶୀ ନୃତ୍ୟରେ – ଲୀନା ନନ୍ଦ, ମିନତୀ ପ୍ରଧାନ, ଜ୍ୟୋତିରାଣୀ ନାୟକ, ମୁନ୍‌ମୁନ୍‌ ଚକ୍ର୍ରବର୍ତ୍ତୀ ଏବଂ ସାଗରିକା ପରିଡ଼ା । ଗୁରୁ କେଶବଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ଗାୟନ କରିଥିଲେ – ରାଜେଶ ଲେଙ୍କା, ସ୍ମୃତିରେଖା ପ୍ରତିହାରୀ, ଅର୍ପିତା ସାହୁ, ସୁନିତାରାଣୀ ବିଶ୍ୱାଳ, ନୀଳିମା ପ୍ରଧାନ, କବିତା ନାୟକ, ଜୟଗୁରୁ ପ୍ରଧାନ, ପ୍ରଦୀପ ମହାରଣା, ତାପସ କୁମାର ନାୟକ ଏବଂ ଯନ୍ତ୍ର ସଂଗୀତରେ ଥିଲେ – ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍‌), ରମେଶ ଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀଚରଣ ପରିଡ଼ା (ମର୍ଦ୍ଦଳ), ରୁଦ୍ରପ୍ରସାଦ ପରିଡ଼ା (ବଂଶୀ),  କୃଷ୍ଣଚନ୍ଦ୍ର ଦାସ ଏବଂ  ସର୍ବେଶ୍ୱର ବଇଠାରୁ (ଓଡ଼ିଶୀ ଗାୟନ) ଓ  ଜ୍ୟୋତିପ୍ରକାଶ ସାହୁ (ବେହେଲାବାଦନ) । କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣାକେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜାତାରିଣୀ ମିଶ୍ର ।

Leave A Reply

Your email address will not be published.