Latest Odisha News

BREAKING NEWS

ଦେବାଭିଷେକ ସମ୍ମାନରେ ସମ୍ମାନିତ ହେଲେ ଓଡିଶୀ ନୃତ୍ୟଶିଳ୍ପୀ ମୀରା ଦାସ

ପୁରୀ: ଶ୍ରୀମନ୍ଦିରରେ ପବିତ୍ର ପୌଷ ପୂର୍ଣ୍ଣିମା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜାଭିଷେକ ନୀତି ଉପଲକ୍ଷେ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦେବାଭିଷେକ ଶାସ୍ତ୍ରୀୟ ନୃତ୍ୟ ସଂଧ୍ୟା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାବାଜୀ ସଚ୍ଚିଦାନନ୍ଦ ଦାସ ମହାରାଜ ଏହି ଉତ୍ସବକୁ ଉଦଘାଟନ କରିଥିଲେ ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଂଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୃନ୍ଦ, ବିଜେଡି ଯୁବ ରାଜ୍ୟ ସଭାପତି ସୁନୀଲ ମହାନ୍ତି, ସମାଜସେବୀ ସବିତା ରାଉତ ଓ କ୍ଷେତ୍ରମୋହନ ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସିଂହଦ୍ୱାର ନିକଟ ମଙ୍ଗୁ ମଠ ଠାରେ ଆୟୋଜିତ ଉତ୍ସବରେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ମୀରା ଦାସଙ୍କୁ ଚଳିତ ବର୍ଷ ଦେବାଭିଷେକ ସମ୍ମାନ ପ୍ରଦାନ କରାଯାଇଛି ।

ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଓଡିଶୀ ନୃତ୍ୟଶିଳ୍ପୀ ମୀରା ଦାସଙ୍କ “ଶ୍ରୀରାମ” ନୃତ୍ୟାଭିନୟ । ପରେ ପରେ ବିଶିଷ୍ଟ କଂଠଶିଳ୍ପୀ ଡକ୍ଟର ସଂଗୀତ ଗୋସାଇଁ ଓଡିଶୀ ଗାୟନ ଓ ନୂଆଦିଲ୍ଲୀରୁ ଆସିଥିବା ଓଡିଶୀ ନୃତ୍ୟଶିଳ୍ପୀ ଲିପ୍ସା ଶତପଥୀଙ୍କ ପଂଚତତ୍ୱ ଓଡିଶୀ ଅଭିନୟ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା । ଏହି ଶାତ୍ସୀୟ ନୃତ୍ୟ ସଂଧ୍ୟାରେ ରୋଜାଲିନ୍ ମହାନ୍ତିଙ୍କ ଗୀତଗୋବିନ୍ଦ ଓ ନବ ପ୍ରତିଭା ନୃତ୍ୟାନୁଷ୍ଠାନ ପକ୍ଷରୁ ବୃନ୍ଦ ନୃତ୍ୟ ପରିବେଷିତ ହୋଇଥିଲା ।

ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଗୁରୁ ନାରାୟଣ ପାଣ୍ଡେ ଓ ଓଡିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ ପରିଚାଳନା କରିଥିଲେ ।

Leave A Reply

Your email address will not be published.