ଭୁବନେଶ୍ଵର: ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର । ବଡ ଘୋଷଣା କଲା ଓଇଆରସି । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି । ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବଢିବନି ବିଦ୍ୟୁତ ବିଲ୍ । ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲ ରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ । ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିବେ । ସେହିପରି ଯେଉଁମାନେ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି ସେମାନଙ୍କ ପାଇଁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲରୁ ଛାଡ କରାଯାଇଛି।
ଏହାଛଡା ୧୦ କିଲୋ ୱାଟ ରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା ଙ୍କୁ “ସୋଲାର ଆୱାର” ( ସକାଳ ୮ ରୁ ଅପରାହ୍ନ ୪) ଭିତରେ ବ୍ୟବହାର କରିଥିବା ବିଦ୍ୟୁତ ବିଲ ଉପରେ ୟୁନିଟ ପିଛା ୨୦ ପଇସା ରିହାତି ମିଳିବ। ସେହିଭଳି “ପିକ ଆୱାର” ( ସଂନ୍ଧ୍ୟା ୬ ରୁ ରାତି ୧୨ ) ରେ ବ୍ୟବହାର କରିଥିବା ଉପଭୋକ୍ତା ଙ୍କୁ ୟୁନିଟ ପିଛା ୩୦ ପଇସା ଅଧିକ ପଡ଼ିବ। ସେହିପରି ଶିଳ୍ପ ସଂସ୍ଥା ମାନଙ୍କୁ ୮୦ ପ୍ରତିଶତ ଅତିରିକ୍ତ ବ୍ୟବହାର କଲେ ୨୦ ପ୍ରତିଶତ ରିହତି ଦିଆଯିବ। ଏଥିରେ ଶିଳ୍ପ ସଂସ୍ଥା ମାନେ ପ୍ରୋତ୍ସାହିତ ହେବେ ବୋଲି ଆଶାବ୍ୟକ୍ତ କରିଛି ଓଇଆରସି। ତେବେ ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।
Comments are closed.