Latest Odisha News

ପୁଅ କାନ୍ଧରେ ଜଗା ଦର୍ଶନ କଲେ ବାପା, ଲୋକେ କହିଲେ ଏମିତି ପୁଅ ସମସ୍ତଙ୍କୁ ଦିଅ…

ପୁରୀ: ବୃଦ୍ଧ ବାପା-ମା’… କାହା ପାଇଁ  ଅଲୋଡା ତ କାହା ପାଇଁ ବୋଝ । ଏଇ ହାତ ଧରି ଦିନେ ବାପା ଚାଲି ଶିଖେଇଥିଲେ । ବଡ ହେଲା ପରେ ସେଇ  ହାତ ଦୂରେଇ ଦେଉଛି ବାପାଙ୍କୁ । ନିଜ ପରିବାରରେ ଅଦରକାରୀ ହୋଇ ଯାଉଛନ୍ତି  ବାପା ।  ହେଲେ ଧନ୍ୟ ଏଇ ପୁଅ । ବୟସର  ସାୟହ୍ନରେ ବୁଢା ବାପାର ଜଗା ଦର୍ଶନ ସ୍ୱପ୍ନକୁ ପୂରଣ କରିଛି । ବୋହି ବୋହି ନେଇ ଆସିଛି ବାପାକୁ  । ଦିନେ ବାପାଙ୍କ କାନ୍ଧରେ ବସି  ଜହ୍ନ ଦେଖୁଥିଲା । ଆଜି ବାପା ତା ପାଇଁ ଛୁଆ । ବାପାଙ୍କୁ କାନ୍ଧରେ ବସେଇ ଜଗା ଦର୍ଶନ ପାଇଁ ନେଇ ଆସିଛି ।

ସକାଳୁ ସକାଳୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ବାଇଶି ପାହାଚରେ ବାପାଙ୍କୁ କାନ୍ଧରେ ବସାଇ ପୁଅ ଓହ୍ଲାଇ ଆସୁଥିଲେ । ବାପା-ପୁଅ ଉଭୟଙ୍କ ମୁହଁରେ ଥିଲା ଆତ୍ମତୃପ୍ତିର ଭାବ ।  ଏମିତି ବାପା ପାଇ ପୁଅ ଧନ୍ୟ ଆାଉ ଏମିତି ପୁଅ ପାଇ ବାପା ବି ଧନ୍ୟ । ଏମିତି କିଛି ଭାବ ବାରି ହୋଇପଡ଼ୁଥିଲା  ଉଭୟଙ୍କ ମୁହଁରୁ । ଏ ଦୃଶ୍ୟ ଦେଖିବା ଲୋକଙ୍କ ଆଖିକୁ ଓଦା କରି ଦେଇଥିଲା ।  ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା –କି ଭାଗ୍ୟ ଏ ବାପାର..ଏମିତି ପୁଅ ପାଇଛି… ।

ଏ ବାପା-ପୁଅଙ୍କ ପରିଚୟ ଜଣାନାହିଁ । ପରିଚୟ ବା କ’ଣ ଲୋଡା ? ଏଇ ଗୋଟିଏ ଦୃଶ୍ୟ ଯେଉଁ ମହାନ ବାର୍ତ୍ତା ଦେଉଛି ସେତିକି ସମସ୍ତଙ୍କ ମନକୁ ଛୁଇଁ ଯାଇଛି । ଆଜି ସକାଳୁ ସକାଳୁ ଜଗା ଦର୍ଶନ ପାଇଁ ସିଂହ ଦ୍ୱାରରେ ଜମିଥିଲା ଭକ୍ତଙ୍କ ଗହଳି । ସେଇ ଗହଳି ଭିତରେ ଦେଖିବାକୁ ମିଳିଥିଲା ଏ ଦୃଶ୍ୟ । ବାଇଶି ପାହାଚରେ ଓହ୍ଲାଇ ଆସୁଥିଲେ ଏଇ ଯୁବକ ଜଣକ । କାନ୍ଧରେ ତାଙ୍କର ବୃଦ୍ଧ ବାପା । ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଦେଖୁଥିଲେ ଏ ବାପା-ପୁଅଙ୍କୁ ।   ସମସ୍ତଙ୍କ ଆଖି ଓଦା ହୋଇ ଯାଇଥିଲା । ସେ ଲୁହ ଥିଲା କିଛି  ଆନନ୍ଦର, କିଛି  ବିଷାଦର । ଏ ବାପା-ପୁଅଙ୍କ ନିବିଡ ସମ୍ପର୍କକୁ ଦେଖି କିଏ ନିଜ ପୁଅର ଅତ୍ୟାଚାରକୁ ମନେ ପକାଉଥିଲେ ତ କାହାର ମନେ ପଡ଼ି ଯାଇଥିଲା ଗାଁରେ ଛାଡ଼ି ଆସିଥିବା ନିଜ ବୁଢା ବାପାର କଥା । ଯାହା ବି ହେଉ, ଉଜୁଡ଼ି ଯାଉଥିବା ଆମ ପାରିବାରିକ ସମ୍ପର୍କ ପାଇଁ ଏକ ପ୍ରେରଣା, ଏକ ଆଶ୍ୱାସନା ।

Comments are closed.