Latest Odisha News

BREAKING NEWS

ଓଡ଼ିଆ ଅଭିନେତ୍ରୀଙ୍କ ଶ୍ରୀମନ୍ଦିରରେ ଅବଢା ଖାଉଥିବାର ଫଟୋ ହେଲା ଭାଇରାଲ୍ !

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦୃଢ ନିରାପତ୍ତା ବଳୟ ମଧ୍ୟରେ ରହିଥିଲେ ମଧ୍ୟ ରବିବାର ଦିନ ମନ୍ଦିର ପରିସରରେ ଏକ ଫଟୋ ଉଠାଯାଇଛି । ଖାଲି ସେତିକି ନୁହେଁ ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ଏହି ୧୨ଶ ଶତାବ୍ଦୀର ତଥା ଐତିହ୍ୟ ସମ୍ପନ୍ନ ପୁରାତନ ମନ୍ଦିର ଭିତରେ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍ ଫୋନ ନେବା ବାରଣ ସହିତ ଦୃଢ କଟକଣା ରହିଥିବା ସତ୍ୱେ ଜଣେ ଓଲିଉଡ୍ ଅଭିନେତ୍ରୀଙ୍କ ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।

ଭାଇରାଲ୍ ହୋଇଥିବା ଓଡ଼ିଆ ଅଭିନେତ୍ରୀ ଜଣକ ହେଉଛନ୍ତି ଦିବ୍ୟା । ଏହି ଫଟୋଟିରେ ଦିବ୍ୟା ପୁରୀ ଶ୍ରୀମନ୍ଦିରସ୍ଥିତ ଆନନ୍ଦବଜାରରେ ବସି ଅନ୍ୟ ୫ ଜଣଙ୍କ ବନ୍ଧୁଙ୍କ ସହିତ ଅବଢା ମହାପ୍ରସାଦ ଖାଉଥିବାର ଦୃଶ୍ୟ ରହିଛି । ଏପରିକି ଏହି ଫଟୋରେ ମେଘନାଦ ପାଚେରୀ ସହିତ ଆନନ୍ଦ ବଜାର ମୁଖ୍ୟ ଫାଟକ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ଅବଶ୍ୟ ଏହି ଫଟୋଟି କେଉଁଦିନ ଉଠାଯାଇଛି ତାହା ଏହି ଫଟୋଟିରେ ଜଣାପଡ଼ିନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହିପରି ଅନେକ ଥର ଶ୍ରୀମନ୍ଦିର ମଧ୍ୟରେ ଫଟୋ ଉଠାଯିବା ଘଟଣା ଘଟିଛି । ଶ୍ରୀମନ୍ଦିର ଫଟୋ ଉଠାଇବା ତଥା ମୋବାଇଲ୍ ନେବା ବାରଣ ରହିଥିବା ସତ୍ୱେ ପୂର୍ବରୁ କିଛି ପୋଲିସ କର୍ମଚାରୀ, ସେବାୟତ ଏବଂ ଶ୍ରଦ୍ଧାଳୁ ଫଟୋ ଉଠାଇ ବିବାଦୀୟ ହୋଇପଡ଼ିଥିଲେ । ସେହି ସମୟରେ ଏହି ଫଟୋ ଉଠାଇ ଭାଇରାଲ୍ କରିବାକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖ ଭାଗରେ ମନ୍ଦିର ଭିତରକୁ ମୋବାଇଲ୍ ନେବା ନେଇ ବାରଣ ଥିବା ଉଲ୍ଲେଖ ରହିଥିଲେ ମଧ୍ୟ ଅନେକ ସମୟରେ ଏହିପରି ବେଆଇନ୍ କାର୍ଯ୍ୟ ଘଟି ଚାଲୁଥିବାରୁ ଏହା କୋଟି କୋଟି ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି ।

Leave A Reply

Your email address will not be published.