ଭୁବନେଶ୍ବର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂପାଦକ ତଥା ନିର୍ଦ୍ଦେଶକ ଅଶୋକ ଶର୍ମା । ଗତକାଲି ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।
ଅଶୋକ ଶର୍ମା ଜଣେ ପଞ୍ଜାବୀ ହେଲେ ମଧ୍ୟ ଓଡ଼ିଆରେ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ସେ ମୁମ୍ବାଇରୁ ଆସି ଓଡ଼ିଶାରେ ରହୁଥିଲେ । ପ୍ରଥମେ ସେ ପ୍ରଶାନ୍ତ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ପରେ ରବି ପଟ୍ଟନାୟକଙ୍କ ସଂପାଦନା ସହକାରୀ ଭାବେ କାମ କଲେ। ଓଲିଉଡର ଅଲରାଉଣ୍ଡର ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’ରେ ପ୍ରଥମେ ଏଡିଟର ଭାବେ କାମ କରିଥିଲେ । ଏହାପରେ ସେ ୮୦ରୁ ଅଧିକ ଓଡ଼ିଆ ଛବିରେ ଏଡିଟର ଭାବେ କାର୍ଯ୍ୟ କରିଥିଲେ।
ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର, ତୁ ମୋ ଆଖିର ତାରା, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଆଦି ଫିଲ୍ମର ସମ୍ପାଦନା କରିଥିଲେ । ଏଥିସହିତ ‘ପ୍ରତିଶୋଧ ଅପରାଧ ନୁହେଁ’ ଓ ‘ମମତାର ମନ୍ଦିର’ ଶୀର୍ଷକରେ ଦୁଇଟି ଓଡ଼ିଆ ଛବିର ନିର୍ଦେଶନା ମଧ୍ୟ ଦେଇଥିଲେ। ତେବେ ଦ୍ବିତୀୟ ଛବିଟିର ସେନ୍ସର ସରିଥିଲେ ବି କୌଣସି କାରଣରୁ ରିଲିଜ୍ ହୋଇପାରି ନଥିଲା। ତାଙ୍କର ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।
Comments are closed.