Latest Odisha News

BREAKING NEWS

ବାଚସ୍ପତି ପଦ ପାଇଁ ଏନଡିଏ – ଇଣ୍ଡିଆ ଟକ୍କର

ନୂଆଦିଲ୍ଲୀ: ନବଗଠିତ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ବ୍ଲକ୍ ମଧ୍ୟରେ ହେବ ପ୍ରଥମ ସୋ ଡାଉନ୍ । ବାଚସ୍ପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ଇଣ୍ଡିଆ ବ୍ଲକ୍ । ଗତ ତିନି ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଭୋଟିଂ ଜରିଆରେ ନିର୍ବାଚିତ ହେବେ ନବଗଠିତ ଲୋକସଭାର ନୂଆ ବାଚସ୍ପତି । ବିଜେପି ନେତତ୍ୱାଧିନ ଏନଡିଏ ପକ୍ଷରୁ ଓମ୍ ପ୍ରକାଶ ବିର୍ଲାଙ୍କୁ ଏଥର ମଧ୍ୟ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ତାଙ୍କ ସପକ୍ଷରେ ସହମତି ସୃଷ୍ଟି ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ଦାବି କରିଥିଲା ଲୋକସଭାର ଉପବାଚସ୍ପତି ପଦ । ତେବେ ଏ ନେଇ ଏନଡିଏ  ପକ୍ଷରୁ କୌଣସି ପ୍ରତିଶ୍ରୁତି ନମିଳିବା ପରେ ବାଚସ୍ପତି ପାଇଁ କଂଗ୍ରେସ ସଦସ୍ୟ କେ.ସୁରେଶଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିଆ ବ୍ଲକ୍ ।

ଓମ୍ ପ୍ରକାଶ ବିର୍ଲାଙ୍କ ସପକ୍ଷରେ ସହମତି ସୃଷ୍ଟି ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ଇଣ୍ଡିଆ ବ୍ଲକ୍ ସହମତି ପାଇଁ ରାଜି ଥିବା ଜଣାପଡିଥିଲା । ହେଲେ ପରେ ଉପବାଚସ୍ପତି ପଦ ଦାବି କରିଥିଲା । କିନ୍ତୁ ଏ ନେଇ ଏନଡିଏ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା । ବୁଧବାର ଦିନ ୧୧ଟାରେ ବାଚସ୍ପତି ନିର୍ବାଚନ ପାଇଁ ଭୋଟିଂ ହେବ । ଓମ୍ ପ୍ରକାଶବ ବିର୍ଲା ଓ କେ, ସୁରେଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଗୃହରେ ଏନଡିଏର ସଂଖ୍ୟାଗରିଷ୍ଠାତା ଦୃଷ୍ଟିରୁ ଓମ୍ ପ୍ରକାଶ ବିର୍ଲା ପୁଣି ଥରେ ଲୋକସଭା ବାଚସ୍ପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ୱଏନାଡ୍ ଆସନ ଖାଲି ହେବା ପରେ ବର୍ତ୍ତମାନ ଲୋକସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୫୪୨ । ବାଚସ୍ପତି ହେବା ପାଇଁ ଓମ୍ ପ୍ରକାଶ ବିର୍ଲାଙ୍କୁ ଦରକାର ୨୭୧ ଭୋଟ୍ । ଲୋକସଭାରେ ବର୍ତ୍ତମାନ ଏନଡିଏର ୨୯୩ ଓ ବିରୋଧୀ ମେଂଟର ୨୩୨ ସଦସ୍ୟ ଅଛନ୍ତି ।

ବାଚସ୍ପତି ପଦ ପାଇଁ ଏନଡିଏ ଓ ଇଣ୍ଡିଆ ବ୍ଲକ୍ ମଧ୍ୟରେ ସହମତି ତ ହୋଇପାରିନାହିଁ । ପୂର୍ବରୁ ନୂଆ ଲୋକସଭାର ପ୍ରୋଟେମ ସ୍ପିକର ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନିଯୁକ୍ତି ନେଇ ଦୁଇ ପକ୍ଷ ମଧ୍ୟରେ ଦେଖାଦେଇଥିଲା ମତପାର୍ଥକ୍ୟ । ମହତାବଙ୍କଠାରୁ କଂଗ୍ରେସ ସଦସ୍ୟ କେ. ସୁରେଶଙ୍କ ଅଭିଜ୍ଞତା ଅଧିକ ଓ ସେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ କେ. ସୁରେଶଙ୍କୁ ପ୍ରୋଟେମ ସ୍କିକର କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ । ଜଣେ ଦଳିତ ଓ ଦକ୍ଷିଣ ଭାରତୀୟ ହୋଇଥିବାରୁ କେ. ସୁରେଶଙ୍କୁ ଉପେକ୍ଷା କରାଗଲା କି ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ । କଂଗ୍ରେସ ଉଠାଇଥିବା ପ୍ରଶ୍ନର ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଭର୍ତ୍ତୃହରି ମହତାବ ଲଗାତର ୭ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୮ ଥର ନିର୍ବାଚିତ ହୋଇଥିଲେ ମଧ୍ୟ କେ. ସୁରେଶ ଲଗାତର ନିର୍ବାଚିତ ହୋଇନାହାନ୍ତି । ସେ ଦୃଷ୍ଟିରୁ ପ୍ରୋଟେମ ସ୍ପିକର ଭାବେ ମହତାବଙ୍କ ନିଯୁକ୍ତି ନିୟମସଂଗତ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ସରକାରଙ୍କ ପାଇଁ ବାଚସ୍ପତି ପଦବୀ କାହିଁକି ଗୁରୁତ୍ୱ ରଖେ । କାରଣ ଅନେକ ପ୍ରସଙ୍ଗରେ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହୋଇଥାଏ । ଯେତେବେଳେ ଗୃହରେ ବହୁମତ ସାବ୍ୟସ୍ତ କରିବା ସମୟ ଆସେ ଓ ଦଳ ବଦଳ ନିରୋଧୀ ଆଇନର କଥା ଉଠେ,ସେତେବେଳେ ବାଚସ୍ପତିଙ୍କ ଗୁରୁତ୍ୱ ବଢିଯାଇଥାଏ । ଏଥିସହ ଗୃହର ସଦସ୍ୟଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ସଂପର୍କରେ ନିଷ୍ପତ୍ତି ନେବା ଅଧିକାର ମଧ୍ୟ ବାଚସ୍ପତିଙ୍କ ପାଖରେ ରହିଥାଏ ।

ବର୍ତ୍ତମାନର ଲୋକସଭାରେ ଏନଡିଏର ଛାମୁଆ ଦଳ ବିଜେପିର ଏକାକୀ ସଂଖ୍ୟାଗରିଷ୍ଠତା ନାହିଁ । ଦୁଇ ପ୍ରମୁଖ ଅଂଶୀଦାର ଟିଡିପି ଓ ଜେଡିୟୁ ଉପରେ ଦଳ ଅଧିକ ନିର୍ଭରଶୀଳ । ଏଦୃଷ୍ଟିରୁ ଲୋକସଭା ବାଚସ୍ପତି ପଦ ଏଥର ଲୋକସଭାରେ ବିଜେପି ପାଇଁ ଅଧିକ ଗୁରୁତ୍ୱପୂ୍‌ର୍ଣ୍ଣ ହୋଇପଡିଛି । ବାଚସ୍ପତି ପଦ ପାଇଁ ଟିଡିପି ଆଶାୟୀ ଥିଲେ ମଧ୍ୟ ବିଜେପି ନେତୃତ୍ୱ ଏଥିପାଇଁ ଏନଡିଏ ମଧ୍ୟରେ ସହମତି ସୃଷ୍ଟି କରିବାରେ ସଫଳ ହୋଇପାରିଛି । ଶେଷ ଥର ପାଇଁ ୧୯୭୬ ମସିହାରେ ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା । କଂଗ୍ରେସର ବି.ଆର ଭଗତ ଓ କଂଗ୍ରେସ (ଓ)ର ଜଗନ୍ନାଥରାଓ ଯୋଶୀଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ୱନ୍ଦିତା । ୩୪୪ ଭୋଟ୍ ପାଇଁ ବି.ଆର୍ ଭଗତ ବାଚସ୍ପତି ନିର୍ବାଚିତ ହୋଇଥିଲେ । ଯୋଶୀଙ୍କୁ ମିଳିଥିଲା ୫୮ଟି ଭୋଟ୍ ।

Comments are closed.