ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ସେହିଦିନ ଭୋର ୪ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ । ସର୍ବସାଧାରଣ ଦର୍ଶନ ନେଇ କଟକଣା ରହିବ। ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ । ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରତ୍ନଭଣ୍ଡାର ସବକମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ୨୩ ତାରିଖ ଦିନ ମାହେନ୍ଦ୍ର ବେଳା ସକାଳ ୭ଟା୧୭ ରୁ ୧୧ଟା୧୭ ଭିତରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ । ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ରହିବ । କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ ।
ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ଦୁଇ ଜଣ ସଦସ୍ୟ ରହିବେ ତାହା କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ନିଷ୍ପତ୍ତି ନେବେ । ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରିପାରିବେ । ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଏସପିଙ୍କୁ ପ୍ରଦାନ କରାଯିବ ।
ସ୍ଥାନାନ୍ତରଣ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ପଡିବ ନାହିଁ ସେ ଉପରେ ଗୁରୁତ୍ବ ଦିଆଯିବ । ତେବେ ସାଧାରଣ ଭକ୍ତଙ୍କ ପାଇଁ କଟକଣା ରହିବ । ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ତେବେ ଭିତର କାଠ ଦର୍ଶନ ଆଦୌ ହେବ ନାହିଁ । ସେହିପରି କୌଣସି ପରିସ୍ଥିତିରେ ଭକ୍ତ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ।
ସେହିପରି ନାଟମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ଏହା ପରେ ହୁଣ୍ଡି ସ୍ଥାନାନ୍ତରଣ ହୋଇ ଧାଡ଼ି ଦର୍ଶନ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ । ଏନେଇ ପରିଚାଳନା କମିଟି ନିଷ୍ପତ୍ତି ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଏଏସଆଇ ଅଧିକାରୀଙ୍କ ସହିତ ଛତିଶା ନିଯୋଗ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସ୍ଥାନାନ୍ତରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆଗାମୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ନେଇ ଆଲୋଚନା ହେବ ।
Comments are closed.