Latest Odisha News

୨୪ ନିର୍ବାଚନ ପାର ପାଇଁ କେଉଁ ଆଧାରରେ ଟିକେଟ୍ ଦେଇଛି କଂଗ୍ରେସ?

ଭୁବନେଶ୍ୱର: କାହାକୁ ସାରଥି କରିଛି ହାତ ? ବିଧାୟକଙ୍କୁ ପୁଣି ଟିକେଟ୍ । କିଲ୍ଲା ସମ୍ଭାଳିବେ ହେଭିୱେଟ୍ ନେତା ! ତାଲିକାରେ ସିନେଷ୍ଟାରରୁ ହକି ତାରକା। ନେତାଙ୍କ ପୁଅ ଝିଅଙ୍କୁ ହାତର ଭରସା । ବିଜେପି ଓ ବିଜେଡି ପରେ ଆସିଛି କଂଗ୍ରେସର ପ୍ରାର୍ଥୀ ତାଲିକା । ମଙ୍ଗଳବାର କଂଗ୍ରେସ ୮ଲୋକସଭା ଓ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

କିଲ୍ଲା ସମ୍ଭାଳିବେ ହେଭିୱେଟ୍
ହେଭିୱେଟ୍ ନେତାଙ୍କୁ ଚବିଶ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡାରୁ ଲଢିବେ । ରାଜ୍ୟ କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ଭକ୍ତଚରଣ ଦାସ ନର୍ଲାରୁ ତ କଂଗ୍ରେସ ପ୍ରଚାର କମିଟି ସଂଯୋଜକ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡି ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି । ବଡ ନେତାଙ୍କୁ ଗଡ ସମ୍ଭାଳିବାକୁ ଚବିଶ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।

ବିଜୟୀ ନେତାଙ୍କୁ ପୁଣି ଭରସା
୨୦୧୯ରେ ବିଜୟୀ ନେତାଙ୍କୁ ପୁଣି ଟିକେଟ୍ ଦେଇଛି କଂଗ୍ରେସ । ବିଧାୟକ ରମେଶ ଜେନା, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜାଙ୍କ ପରି ଜଣାଶୁମା ଚେହେରା ଉପରେ ପୁଣି ଭରସା ଦେଖାଇଛି ଦଳ । ରମେଶ ଜେନାଙ୍କୁ ସାନଖେମୁଣ୍ଡି, ତାରାଙ୍କୁ ଜୟପୁରରୁ ପ୍ରାର୍ଥୀ କରିଛି ଦଳ । ସେହିପରି ରାଜଗାଙ୍ଗପୁରରୁ ରାଜ୍ଜନ ଏକ୍କା, କଣ୍ଟାବାଞ୍ଝିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଦେଇଛି ଟିକେଟ୍ । ଭେଟେରାନ୍ ବିଧାୟକ ସୁର ରାଉତରାୟ ଓ ନରସିଂହ ମିଶ୍ର ନିର୍ବାଚନ ରାଜନୀତିରୁ ପୂର୍ବରୁ ସନ୍ୟାସ ଘୋଷଣା କରିସାରିଛନ୍ତି । ସେହିପରି ରାଜ୍ୟରେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କୁ ପୁଣି କୋରାପୁଟ ମଇଦାନକୁ ଓହ୍ଲାଇଛି କଂଗ୍ରେସ ।

ତାଲିକାରେ ଫିଲ୍ମଷ୍ଟାରରୁ ହକି ତାରକା
କଂଗ୍ରେସ ତାଲିକାରେ ସେଲିବ୍ରିଟିଙ୍କୁ ବି ମିଳିଛି ଟିକେଟ୍ । ଜଣାଶୁଣା ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ଏଥର ପଲିଟିକାଲ ମାଇଣ୍ଡ ଗେମ୍ ଖେଳିବେ ମନୋଜ ମିଶ୍ର । ସେହିପରି ପୂର୍ବତନ ଭାରତୀୟ ହକି ତାରକା ପ୍ରବୋଧ ତିର୍କୀଙ୍କୁ ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ହାତର ସାରଥି ନେତାଙ୍କ ପୁଅ ଝିଅ
ନେତାଙ୍କ ପୁଅ ଝିଅଙ୍କୁ ଟିକେଟ ଦେଇ ଚବିଶ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଓ ଭକ୍ତଚରଣ ଦାସଙ୍କ ପୁଅ ସାଗର ଚରଣ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ଗତଥର ସମରେନ୍ଦ୍ର ବଲାଙ୍ଗୀର ଲୋକସଭା ଲଢି ପରାସ୍ତ ହୋଇଥିଲେ । ଏଥର ବଲାଙ୍ଗୀର ବିଧାନସଭାରେ ଭାଗ୍ୟ ପରୀକ୍ଷା କରିବେ । ସାଗରଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଛି କଂଗ୍ରେସ । ସେହିପରି ଡାବୁଗାଁରେ କଂଗ୍ରେସ ଭେଟେରାନ୍ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀଙ୍କୁ ଟିକେଟ୍ ଦେଇଛି ଦଳ ।

ପୂର୍ବତନଙ୍କୁ ବି ଭରସା
ବିଜେଡିରୁ ଆସିଥିବା ବଳଭଦ୍ର ମାଝୀଙ୍କୁ ଲାଞ୍ଜିଗଡ ବିଧାନସଭାରୁ ଟିକେଟ୍ ମିଳିଛି । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ପଟେଲ, ରାମଚନ୍ଦ୍ର କଦମଙ୍କୁ ପୁଣି ଭରସା କରିଛି ଦଳ । ସେହିପରି ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବରଗଡ ଓ ପୂର୍ବତନ ବିଧାୟକ ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ପାଇଁ ଟିକେଟ୍ ପାଇଛନ୍ତି । ଜେଏମଏମ ପାଇଁ ବୀରମିତ୍ରପୁର ଓ ସିପିଏମ୍ ପାଇଁ ବଣାଇ ଛାଡିଛି କଂଗ୍ରେସ।

Comments are closed.