Latest Odisha News

BREAKING NEWS

ନକଲି ଚାବିରେ ଥାନାରୁ ବାଇକ୍ ଚୋରି, ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ବ୍ଲକିଂ ଚେକିଂ ବେଳେ ନିଶାସକ୍ତ ଅବସ୍ଥାରେ ରଙ୍ଗ୍ ରୁଟରେ ବାଇକ ଚଳାଇ ଯାଉଥିବା ବେଳେ ଟ୍ରାଫିକ୍ ଥାନା ପୋଲିସ ହାବୁଡରେ ପଡିଥିଲେ ଯୁବକ। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା। ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ ନେଇଥିଲା। ଏହି ଅଭିଯୋଗରେ ଭରତପୁର ଥାନା ପୋଲିସ ଉକ୍ତ ବାଇକକୁ ଜବତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଟ୍ରାଫିକ ଥାନା-୨ ର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର କର୍ମଚାରୀ ମାନେ କେୟାର ହସ୍ପିଟାଲ ଛକ ନିକଟରେ ନାଇଟ ବ୍ଲକିଙ୍ଗ ଜରିଆରେ ଯାନବାହାନ ଚେକିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଜଣକ କେୟାର ହସ୍ପିଟାଲ ଅଞ୍ଚଳରୁ ନାଲ୍କୋ ଛକ ଅଭିମୁଖେ ଟ୍ରାଫିକର ବିପରୀତ ଦିଗରେ ଦ୍ରୁତଗତିରେ ତଥା ବିପଦଜନକ ଭାବେ ମୋଟରସାଇକେଲ ଚାଳନା କରି ଆସୁଥିବାର ଦେଖିବାକୁ ପାଇଥିଲା । ଚେକିଙ୍ଗ ଡ୍ଯୁଟିରେ ଥିବା ପୋଲିସ କର୍ମଚାରୀ ମାନେ ତାଙ୍କୁ ସେଠାରେ ଅଟକାଇ ଥିବା ବେଳେ, ଯାଞ୍ଚ ସମୟରେ ମୋଟରସାଇକେଲ ଚାଳକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲା।

ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ଉକ୍ତ ମୋଟରସାଇକେଲକୁ ସିଜ କରି ପିଆର ଦେଇଥିଲେ । ଆଜି ଅଭିଯୁକ୍ତ ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ଧରି ଟ୍ରାଫିକ ଥାନାକୁ ପିଆର ନମ୍ବର ପାଇଁ ଯାଇଥିବା ବେଳେ, ସାଙ୍ଗରେ ଆଣିଥିବା ଏକ ଡୁପ୍ଲିକେଟ ଚାବି ସାହାଯ୍ୟରେ ନିଜ ମୋଟରସାଇକେଲକୁ ଥାନା ପରିସର ମଧ୍ୟରୁ ଚୋରିକରି ନେଇଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଟ୍ରାଫିକ ଥାନାର ଅଭିଯୋଗ କ୍ରମେ ଭରତପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଛି। ସମ୍ପୃକ୍ତ ମୋଟରସାଇକେଲକୁ ମଧ୍ୟ ଜବତ କରିଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Comments are closed.