Latest Odisha News

BREAKING NEWS

ବିଷାକ୍ତ ଖାଦ୍ୟ ଯୋଗୁ ପୁଣି ଜୀବନ ଗଲା; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କୋରାପୁଟ: କୋରାପୁଟ ଜିଲ୍ଲାର ଓଡପୁର ଗାଁର ଆଉ ଜଣେ ବ୍ୟକ୍ତି ଫୁଡ୍ ପଏଜନିଂର ଶିକାର ହୋଇ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।ତେବେ ଏହାକୁ ମିଶାଇ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ଫୁଡ୍ ପଏଜନିଂର ଶିକାର ହୋଇ ଗାଁର ଅନ୍ୟ ପାଞ୍ଚ ଜଣ କୋରାପୁଟର ଏସଏଲଏନ ମେଡିକାଲରେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ମୃତକଙ୍କ ନାମ ଖଗପତି ଗୌଡା, ନୟନା ଗୌଡା, ଜାମ୍ବତୀ ଗୌଡା, ମହେନ୍ଦ୍ର ଗୌଡା ଏବଂ ରାଜେଶ ଗୌଡା ବୋଲି ଜଣାପଡ଼ିଛି। ଓ ସମସ୍ତେ ଦଶମନ୍ତପୁର ବ୍ଲକର ଓଡାପୁର ଗାଁର ଗୌଡା ସାହିର ବାସିନ୍ଦା ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଗାଁରେ ଆୟୋଜିତ ଭୋଜିରେ ଯୋଗଦେବା ପରେ ୧୦ ଜଣ ଗ୍ରାମବାସୀଙ୍କର ପ୍ରବଳ ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ସେମାନେ ବିଷାକ୍ତ ଖାଦ୍ୟ ଏବଂ ପାଣି ପିଇଥିଲେ। ପରେ କୋରାପୁଟ ଏବଂ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ସ୍ୱାସ୍ଥ୍ୟ ଟିମ୍ ଗାଁକୁ ଯାଇ ଘର ଘର ବୁଲି ସର୍ଭେ ଆରମ୍ଭ କରିଥିଲେ ଓ ଓଆରଏସ ପାଉଚ୍ ବଣ୍ଟନ କରିବା ସହ ପାଣିକୁ ଫୁଟାଇ ପିଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଖାଦ୍ୟକୁ ଠିକ୍ ଭାବରେ ଗରମ କରି ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ଏହି ଘଟଣା ପରେ ଗ୍ରାମରେ ନିରାପଦ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ବ୍ଲକ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯିବା ସହ ଟିମଗୁଡ଼ିକ ୨୪ ଘଣ୍ଟା ସ୍ଥିତି ଉପରେ ନଜର ରଖିଥିବା ନେଇ କୋରାପୁଟ ସିଡିଏମଓ ରବି ନାରାୟଣ ମିଶ୍ର କହିଛନ୍ତି।

Comments are closed.