Latest Odisha News

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି । ଏକସଙ୍ଗେ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୨୦୨୩ରେ କମିଟି ଗଠନ କରି ସୁପାରିଶ ଲୋଡିଥିଲେ ମୋଦି ସରକାର । କ୍ୟାବିନେଟ ଅନୁମୋଦନ ପରେ ୱାନ ନେସନ, ୱାନ ଇଲେକସନ ବିଲ୍ ପାର୍ଲାମେଂଟର ଶୀତ ଅଧିବେଶନରେ ଆଗତ ହେବ ।

୫ ବର୍ଷ ମଧ୍ୟରେ ୱାନ ନେସନ, ୱାନ ଇଲେକସନ?

ଏକକାଳୀନ ନିର୍ବାଚନ ସପକ୍ଷରେ ସର୍ବଦା ଯୁକ୍ତି ଉପସ୍ଥାପନ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ବିଚାରବିମର୍ଶ କରି ମତାମତ ଦେବାକୁ ୨୦୨୩ ସେପଟେମ୍ବର ୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ ମୋଦି ସରକାର । ୧୯୧ ଦିନ ଧରି ସବୁ ପକ୍ଷ ଓ ବିଶେଷଜ୍ଞଙ୍କ ସହ ବ୍ୟାପକ ପରାମର୍ଶ ଓ ରିସର୍ଚ୍ଚ ପରେ ଏ ବର୍ଷ ମାର୍ଚ୍ଚରେ ସରକାରଙ୍କୁ ୧୮ ହଜାର ୬୨୬ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ କୋବିନ୍ଦ କମିଟି । ୫ ବର୍ଷ ମଧ୍ୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସୁପାରିଶ କାର୍ଯ୍ୟକାରୀ କରାଯିବ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏ ବର୍ଷ ନିଜର ସ୍ୱାଧୀନତା ଦିବସ ଭାଷଣରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସପକ୍ଷରେ କହିଥିଲେ । ଦେଶରେ ବାରମ୍ବାର ନିର୍ବାଚନ ଦେଶର ବିକାଶ ଗତିକୁ ଧୀମା କରିଦେଉଛି । ସବୁ ରାଜନୈତିକ ଦଳ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରନ୍ତୁ ବୋଲି ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ।

ଦୁଇ ପର୍ଯ୍ୟାୟରେ ହେବ ଏକକାଳୀନ ନିର୍ବାଚନ

ଆଇନ ପ୍ରଣୟନ ହେଲେ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ମ୍ୟୁନିସିପାଲ ଓ ପଂଚାୟତ ନିର୍ବାଚନ କରାଯିବ । ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଏକକାଳୀନ ନିର୍ବାଚନ ପାଇଁ ଗୋଟିଏ ଯୋଗ୍ୟ ଭୋଟର ତାଲିକା ପ୍ରକାଶ କରାଯିବ । ୨୦୨୯ରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାକୁ ରାମନାଥ କୋବିନ୍ଦ କମିଟି ସୁପାରିଶ କରିଛନ୍ତି ।

କିଏ କରୁଛି ସମର୍ଥନ, କିଏ କରୁଛି ବିରୋଧ

ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବାବଦରେ ୬୨ଟି ରାଜନୈତିକ ଦଳଙ୍କ ମତାମତ ଲୋଡିଥିଲେ । ୩୨ଟି ଦଳ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ବିରୋଧ କରିଥିଲେ ୧୫ଟି ଦଳ । ୧୫ଟି ଦଳ କୌଣସି ମତାମତ ଦେଇନଥିଲେ ।

ଜେଡିୟୁ ଓ ଏଲଜେପିର ସମର୍ଥନ, ଟିଡିପି ନୀରବ

ବର୍ତ୍ତମାନର ଏନଡିଏ ସରକାରରେ ଅଂଶୀଦାର ଥିବା ନୀତୀଶ କୁମାରଙ୍କ ଜେଡିୟୁ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ଗୋଟିଏ ଦେଶ,ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରୁଛନ୍ତି । କିନ୍ତୁ ଟିଡିପି ଏ ପ୍ରସଙ୍ଗରେ ନୀରବ ରହିଛି । କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି, ସିପିଏମ ଭଳି ବିରୋଧୀ ଦଳଗୁଡିକ ଏକକାଳୀନ ନିର୍ବାଚନ ପ୍ରସ୍ତାବ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ।

ସଂସଦର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର

ଏକକାଳୀନ ନିର୍ବାଚନ ପାଇଁ ସଂସଦରେ ଏନଡିଏ ସରକାରଙ୍କୁ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରାଇବାକୁ ପଡିବ । ଏଥିପାଇଁ ଲୋକସଭାର ଅତିକମରେ ୩୬୨ ସଦସ୍ୟ ଓ ରାଜ୍ୟସଭାର ୧୬୩ ସଦସ୍ୟଙ୍କ ସମର୍ଥନ ଜରୁରୀ । ସଂସଦରେ ବିଲ୍ ପାସ ହେବା ପରେ ଅତିକମରେ ୧୫ ରାଜ୍ୟର ବିଧାନସଭାରେ ବି ଗୃହୀତ ହେବା ଜରୁରୀ । ଏହା ପରେ ଯାଇ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଆଇନରେ ପରିଣତ ହେବ ବିଲ୍ ।

 

Leave A Reply

Your email address will not be published.