ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ ।
ଆଜି ସକାଳେ ବେଶ ନାଟକୀୟ ଢଙ୍ଗରେ ଜଣେ ମୃତ ଓ ତିନିଜଣ ଜୀବିତ ମାଓବାଦୀ ତେଲେଙ୍ଗନା କୋତାଗୁଡେମ୍ ପୋଲିସ ଜାଲରେ ପଡିଛନ୍ତି । ଜଣେ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲାବେଳେ ଅନ୍ୟ ତିନିଜଣଙ୍କୁ ପୋଲିସ ଗିରଫ କରିଛି ।
ପୋଲିସ ରପୋର୍ଟ ଅନୁଯାୟୀ ମୃତ ନକ୍ସଲର ପରିଚୟ କୁର୍ସମ୍ ଗାଙ୍ଗିଆ । ସେ ଦଣ୍ଡକାରଣ୍ୟ ଦକ୍ଷିଣ ବସ୍ତର ଟେକ୍ନିକାଲ୍ ଟିମ୍ର କମାଣ୍ଡର । ବିଗତ ୪ଦିନ ଧରି କରୋନାରେ ସଂକ୍ରମିତ ହୋଇ ଛଟପଟ ହେବା ପରେ ଅନ୍ୟ ତିନି ମାଓବାଦୀ କୁର୍ସମକୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ଆସିଥିଲେ । ତେବେ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ହିଁ ମାଓ କମାଣ୍ଡର କୁର୍ସମର ମୃତ୍ୟୁ ଘଟିଥିଲା ।
କରୋନା ସଂକ୍ରମିତ ମାଓନେତାକୁ ହସ୍ପିଟାଲ ଆଣିଥିବା ତିନି ମାଓବଦୀଙ୍କୁ ମାନୁଗୁରୁ ପୋଲିସ ଏକ କାରରେ ବସିଥିବାବେଳେ ସନ୍ଦିଗ୍ଧ ଅବସ୍ଥାରେ ଠାବ କରିଥିଲା । ଅଧିକ ପଚରାଉଚରାରେ ସେମାନେ ମାଓବାଦୀ ବୋଲି ଜଣାପଡିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ତେବେ ଗିରଫ ତିନିଜଣଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ।
ଗିରଫ ମାଓବାଦୀ ହେଲେ ସାଭଲମ୍ ପୋଜା, ସୋଦି ସିତାୟା ଓ କୁଂଜ ଜୋଗେୟା । ଗିରଫ ମାଓବାଦୀଙ୍କଠାରୁ ଏକ ବ୍ୟାଗରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଗିରଫ ମାଓବଦୀଙ୍କ ବୟାନରୁ ଜଣାପଡିଛି ରାଜେଶ, ନନ୍ଦୁ, ସୋବରାଇ ଓ ସାଗର ନାମକ ଅନ୍ୟ ମାଓବାଦୀମାନେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ତାଙ୍କ ନିଜସ୍ୱ ଡାକ୍ତର ଚିକିତ୍ସା କରୁଛନ୍ତି ।
କରୋନା ମହମାରୀରେ ବି ମାଓବାଦୀମାନେ ଆଦିବାସୀଙ୍କ ସହ ବୈଠକଂ କରୁଥିବାରୁ ସଂକ୍ରମଣର ଭୟ ଅଧିକ ରହୁଛି । ଏପରି ସ୍ଥିତିରେ ମାଓବାଦୀଙ୍କ ଡାକରା ପାଇ କୌଣସି ବୈଠକରେ ସାମିଲ ନହେବାକୁ କୋତାଗୁଡେମ୍ ପୋଲିସ ଆଦିବାସୀଙ୍କୁ ଅନୁରୋଧ କରିଛି । ତେବେ ପୂର୍ବରୁ ବି ପୋଲିସ କରୋନା ସଂକ୍ରମିତ ମାଓବଦୀଙ୍କୁ ସର୍ତ୍ତମୂଳକ ଚିକିତ୍ସା ପାଇଁ ଆହ୍ୱାନ୍ ଦେଇଥିଲା ।
Comments are closed.