ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ଦୁର ହେବ ଜଳ ସଙ୍କଟ । ପ୍ରତି ୭୦ ଲୋକଙ୍କ ପାଇଁ ରହିବ ଗୋଟିଏ ନଳକୂପ । ସେହିପରି ୭୦ରୁ ଅଧିକ ଲୋକ ଥିଲେ ହେବ ଦୁଇଟି ନଳକୂପ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ ।
ପ୍ରତି ଗାଁକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । ତେଣୁ ଗ୍ରୀଷ୍ମପ୍ରବାହ ପୂର୍ବରୁ ସବୁ ଗାଁରେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବକେୟା ବିଦ୍ୟୁତ ଦେୟ ପାଇଁ ଗାଁରେ ବଡ଼ ପାନୀୟ ଜଳ ପ୍ରକଳ୍ପ ଅକାମି ହୋଇ ପଡ଼ୁଛି । ବସୁଧା ଯୋଜନା ଅଧୀନରେ ମିଳୁଥିବା ଅନୁଦାନକୁ ବ୍ୟବହାର କରି ଏହି ବିଦ୍ୟୁତ୍ ବିଲ୍ ଦେବାକୁ ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ନାଏକ ଆହୁରି କହିଛନ୍ତି ଯେ, ନଳକୂପ ଖନନକୁ ପୁନଃ ଅନୁମତି ଦିଆଯିବା ସହ ଗାଁରେ ଅଚଳ ନଳକୂପ ବଦଳରେ ନୂଆ ନଳକୂପ ଖୋଳାଯିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ନଳକୂପ ନଥିବା ଜନବସତି, ପାଇପ୍ ଜଳଯୋଗାଣ ହୋଇନଥିବା ତଥା ବ୍ୟକ୍ତିଗତ ନଳକୂପ ନଥିବା ଅଞ୍ଚଳରେ ନୂଆ ନଳକୂପ ହେବ । ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ କାମ ସରିବ । ଡିସେମ୍ବର ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରହିଛି । ସେହିଭଳି ୨୦୨୬ ଜୁନ୍ ଶେଷ ସୁଦ୍ଧା ୮୧ଟି ବୃହତ୍ ପାନୀୟଜଳ ପ୍ରକଳ୍ପ କାମ ସାରିବୁ । ଧାର୍ଯ୍ୟ ସମୟ ଭିତରେ ମୋଟ ୨୦୭ ବଡ଼ ପ୍ରକଳ୍ପ କାମ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରତିବର୍ଷ ଖରା ଦିନ ଆସିବା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସେ ଜଣ ସଙ୍କଟର ଦୃଶ୍ୟ । ପିଇବା ପାଣି ପାଇଁ ଲୋକଙ୍କୁ ଅନେକ ବାଟ ଯାତ୍ରା କରିବାକୁ ପଟେ । ଯାହାକୁ ନେଇ ଚିନ୍ତିତ ହୋଇଛନ୍ତି ରାଜ୍ୟ ସରକାର । ତେବେ ଚଳିତ ବର୍ଷ ଯେପରି ଲୋକମାନେ ଏପରି ସମସ୍ୟାର ସାମ୍ନା ନ କରିବେ ସେଥିପାଇଁ ଅନେକ ପ୍ରକାରର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
Comments are closed.