Latest Odisha News

BREAKING NEWS

ଜୁନ୍ ୪…ବର୍ଷେ ପରେ କିଏ କେଉଁଠି?

ଭୁବନେଶ୍ବର: ଜୁନ୍ ୪ । ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହୋଇଥିଲେ । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଥିଲା । ବର୍ଷେ ଭିତରେ କେତେ ବଦଳିଛି ରାଜ୍ୟର ତିନି ପ୍ରମୁଖ ଦଳର ସ୍ଥିତି? ଓଡିଆ ଅସ୍ମିତାର ନାରା ଲଗାଇ କ୍ଷମତାକୁ ଆସିଥିବା ବିଜେପି, ନିଜ ପ୍ରତିଶ୍ରୁତି ରଖିବାରେ କେତେ ସଫଳ? ବିରୋଧୀ ଦଳ ଭାବେ କେତେ ପ୍ରସଙ୍ଗ ଉଠାଇଛି ବିଜେଡି ? କଂଗ୍ରେସରେ ସୃଷ୍ଟି ହୋଇଛି କି କିଛି ସମ୍ଭାବନା?

ପ୍ରତିଶ୍ରୁତି ପୂରଣଠୁ ଦୂରରେ ବିଜେପି !

ଠିକ୍ ବର୍ଷକ ତଳେ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ବିଜେପି । ସରକାରକୁ ଆସୁ ଆସୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସହ ଚାଷୀରୁ ମହିଳା ଅନେକ ନିଷ୍ପତି ନିଆଗଲା । ହେଲେ ନିର୍ବାଚନ ବେଳେ ଦୁର୍ନୀତି, କଳାଟଙ୍କା ସହ ବିଜେଡି ଲିଙ୍କକୁ ନେଇ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନି । ବିଜେଡିର ରାଜା ଚକ୍ର ପରି ଛୋଟ ନେତାଙ୍କୁ ଧରାଯାଇଛି, ହେଲେ ଏପର୍ଯ୍ୟନ୍ତ ହେଭିଓ୍ବେଟ୍ ନେତାଙ୍କ ଦେହରେ ହାତ ମାରିନି ବିଜେପି । ସିଧାସଳଖ ବିଜେଡିର କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା ବିଜେପି । ହେଲେ ନା ହେଲିକପ୍ଟର ଖର୍ଚ୍ଚ ନା ଦୁର୍ନୀତି ଅଭିଯୋଗ, କୌଣସି ତଦନ୍ତ ଆରମ୍ଭ ହୋଇନି । ଏପରିକି ପୂର୍ବରୁ ବିଜେପି ଟାର୍ଗେଟ୍ କରୁଥିବା ଆଇଏଏସ ଅଧିକାରୀ ବି କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ପୋଲାଭରମ, ମହାନଦୀ ହେଉ କି କୋଟିଆ ପ୍ରସଙ୍ଗ ସମାଧାନ ଦିଗରେ ସେଭଳି ପଦକ୍ଷେପ ନିଆଯାଇନି । ସୁଭଦ୍ରା ଭଳି ଯୋଜନା ଲାଗୁ ହୋଇଛି, ହେଲେ ପୂର୍ବ ସରକାରର ଅଧିକାଂଶ ଯୋଜନାର ନାଁ ଓ ରଙ୍ଗ ବଦଳା ଯାଇଥିବା ଅଭିଯୋଗ ହୋଇଛି । ଶାସନ ବ୍ୟବସ୍ଥାରେ ବିଜେପି ସରକାର ସେଭଳି ପରିବର୍ତ୍ତନ ଆଣିନଥିବା ଚର୍ଚ୍ଚା ହୋଇଛି ।

କ୍ଷମତା ଗଲା କଳି ବଢିଲା !

୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ରାଜ୍ୟରେ ବିରୋଧୀ ଦଳ ସିଟରେ ରହିଛି । ହେଲେ ଯେଉଁଭଳି ଭାବେ ଦଳ ଲୋକଙ୍କ ସମସ୍ୟାର ସ୍ବର ହେବ କୁହାଯାଉଥିଲା, ତାହା ଦେଖିବାକୁ ମିଳିନି । ଏକପ୍ରକାର ଗତବର୍ଷ ଜୁନ୍ ୪ରେ ହିଁ ଅଟକି ଯାଇଛି ଦଳ । ଓଲଟା ପୂର୍ବ ଅପେକ୍ଷା ଦଳ ଭିତରର କନ୍ଦଳ ଅଧିକ ବଢିଛି । ଓ୍ବାକଫ୍ ବିଲକୁ ସମର୍ଥନ ବେଳେ ତ ବିଜେଡି ନେତା ପରସ୍ପରର ମୁହାଁମୁହିଁ ହୋଇଥିଲେ । ବିରୋଧୀ ଭାବେ କମ୍ ବିଜେପି ସରକାରର ସହଯୋଗୀ ଭୂମିକାରେ ବେଶୀ ନଜର ଆସିଛି ବିଜେଡି । ଓବିସି ସଂରକ୍ଷଣ, ମହିଳା ବିରୋଧୀ ଅପରାଧକୁ ନେଇ ସ୍ବର ଉଠାଇଛି ହେଲେ ସିଧା ଟାର୍ଗେଟ୍ କରିପାରିନି । ବିଜେଡିର ଦୁଇ ସାଂସଦ ଦଳ ଛାଡି ବିଜେପିକୁ ଯାଇଛନ୍ତି ତ ତୃଣମୂଳସ୍ତରରେ ବି ଝଟକା ଲାଗିଛି । ସକ୍ରିୟ ରାଜନୀତିରୁ ଭିକେ ପାଣ୍ଡିଆନ ନିଜକୁ ପ୍ରତ୍ୟାହାର କରିଥିବା କହୁଥିଲେ ବି ବିଜେଡି ସଭାପତି ନବୀନଙ୍କ ଉପରେ ଏବେବି ତାଙ୍କର ପ୍ରଭାବ ରହିଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଦଳ ଦୁଇ ଫାଳ ହୋଇଥିବା ବେଳେ ଜନତାଙ୍କର ମଧ୍ୟ ବିଜେଡି ପ୍ରତି ବିଶ୍ବାସ କମିଛି ।

ସମ୍ଭାବନାର ନାଁ କଂଗ୍ରେସ !

ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଗତ କିଛି ଦିନ ହେବ ବିଜେଡିଠୁ ଅଧିକ ସଂଗଠିତ ନଜର ଆସିଛି । ନୂଆ ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଦଳର ପୁରୁଣା ନେତାଙ୍କ ପାଇଁ ଦ୍ବାର ଖୋଲିଛନ୍ତି । ଅନ୍ତକନ୍ଦଳ ସହ ଯୁଝୁଥିବା ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ଏକପ୍ରକାର ବିଫଳ ହେବା ପରେ ସେହି ସ୍ଥାନରେ ନିଜକୁ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ମହିଳା ସୁରକ୍ଷା ପ୍ରସଙ୍ଗରେ ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ କରିଥିଲା ଦଳ । ତେବେ କଂଗ୍ରେସକୁ ପୁଣି ନିଜ ସ୍ଥିତି ମଜବୁତ କରିବାକୁ ହେଲେ ନିର୍ଭୁଲ ରାଜନୈତିକ ହିସାବ କିତାବ ସାଙ୍ଗକୁ କଠିନ ପରିଶ୍ରମ ଦରକାର । କାରଣ ଦୀର୍ଘ ଦିନ ଧରି ଦଳର ସଂଗଠନ ଏକପ୍ରକାର ସ୍ଥାଣୁ ଅବସ୍ଥାରେ ରହିଛି ।

ଗତବର୍ଷ ଜୁନ୍ ୪ତାରିଖରେ ଆସିଥିଲା ଐତିହାସିକ ଫଳାଫଳ । ବିଜେପି ୭୮ଟି ସିଟ୍ ଜିତିଥିଲା ତ ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ସିଟ୍ ମିଳିଥିଲା । ଏହାପରଠୁ ରାଜ୍ୟ କ୍ଷମତା ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଛି, ହେଲେ ଶାସନ ବ୍ୟବସ୍ଥାରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇନି । ବିଜେଡି ଆଗ ଅପେକ୍ଷା ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ନିଜକୁ ମଜବୁତ କରିବାକୁ କସରତ କରୁଛି କଂଗ୍ରେସ ।

Comments are closed.