Latest Odisha News

ଆଜିଠୁ ଯୁକ୍ତ ଦୁଇ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। ଦିନ ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ୍ ଫର୍ମ। ଛାତ୍ରଛାତ୍ରୀ www.samsodisha.gov.in ଏହି ୱେବସାଇଟକୁ ଯାଇ ଆବେଦନ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ। ଜୁଲାଇ ୬ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ। ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡମିଶନ୍ କରାଯିବ।

ଜୁଲାଇ ୧୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ। ଏଥର ରାଜ୍ୟର ୨ ହଜାର ୧୨୧ ଯୁକ୍ତ ଦୁଇ କଲେଜର ୫ ଲକ୍ଷ ୨୫ ହଜାର ୪୬୫ ସିଟରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍, ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.