Latest Odisha News

BREAKING NEWS

IIMCର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଆରମ୍ଭ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଅନ୍‍ଲାଇନ୍‍ ମାଧ୍ୟମରେ ଆରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ଣରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଓ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ ହୋଇଛି ।  ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

ପ୍ରଥମ ସେମିଷ୍ଟରରେ ଆଇଆଇଏମ୍‍ସି ଢେଙ୍କାନାଳ, ଆଇଆଇଏମ୍‍ସି ଆଇଜଲ୍‍ ଓ ଆଇଆଇଏମ୍‍ସି କୋଟ୍ଟାୟମ୍‍ ଶାଖାର ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ମିଳିତ ଭାବେ ଆଇଆଇଏମ୍‍ସି ଢେଙ୍କାନାଳର ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ଆଇଆଇଏମ୍‍ସିର ଏହି ତିନୋଟି ଶାଖାରେ ଏଥର ୫୩ ଜଣ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଶିକ୍ଷାର୍ଥୀ ଅଛନ୍ତି । ସେହିପରି ଓଡ଼ିଆ ସାମ୍ବାଦିକତାରେ ୧୯ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ଶିକ୍ଷାବର୍ଷର ପ୍ରଥମ ଅଧିବେଶନରେ ଆଇଆଇଏମ୍‍ସି ଆଇଜଲ୍‍ର ଆଞ୍ଚଳିକ ନିର୍ଦ୍ଦେଶକ ରୁତ୍ଲିଆନା ସାଇଲୋ ଏବଂ ଆଇଆଇଏମ୍‍ସି କୋଟ୍ଟାୟମ୍‍ର ଆଞ୍ଚଳିକ ନିର୍ଦ୍ଦେଶକ ଅନିଲକୁମାର ବଡ଼ାବାଥୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତିଙ୍କ ସହ ତିନୋଟି ଶାଖାର ଶିକ୍ଷକ ଓ କର୍ମଚାରୀମାନେ ଯୋଗଦେଇଥିଲେ ।

ପରେ ତିନୋଟି ଶାଖାର ଶିକ୍ଷାର୍ଥୀଙ୍କ ସହ ଆଇଆଇଏମ୍‍ସି କୋଟ୍ଟାୟମ୍‍ର ମାଲାୟଲମ୍‍ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ଦେଇଥିଲେ । ଆସନ୍ତାକାଲି ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀ ପୂର୍ବାହ୍ଣ ୧୦ଟାରେ ଆଇଆଇଏମ୍‍ସିର ସମସ୍ତ ୬ଟି ଶାଖାର ସବୁ ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।

Leave A Reply

Your email address will not be published.