Latest Odisha News

BREAKING NEWS

ଡ୍ରାଇଭିଂ ଲାଇସେନ୍ସ ନାମରେ ଅନଲାଇନ୍ ଠକେଇ; ଜନସାଧାରଣ ହନ୍ତସନ୍ତ

ଭୁବନେଶ୍ୱର: ଏବେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଅନଲାଇନ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ଲାଗି ପଞ୍ଜିକରଣ କରୁଛନ୍ତି । ଦୈନିକ ଆରଟିଓ ଅଫିସରେ ଭିଡ଼ ମଧ୍ୟ ଜମୁଛି । ତେବେ ବିଭିନ୍ନ ସାଇବର କ୍ୟାଫେକୁ ଲୋକମାନେ ଯାଇ କମ୍ପ୍ୟୁଟର ଅନଲାଇନ ଦ୍ୱାରା ଲାଇସେନ୍ସ ଲାଗି ନାମ ପଞ୍ଜିକରଣ କରୁଛନ୍ତି । ଏହାର ସୁଯୋଗ ନେଇ ଏବେ ଅନେକ ଅସାଧୁ ବ୍ୟକ୍ତି ଜନସାଧାରଣଙ୍କୁ ଅନଲାଇନରେ ଠକିବାରେ ଲାଗିଛନ୍ତି । କେବଳ ନୂଆ ଡ୍ରାଇଭିଂ ଲାଇସେନ୍ସ ଲାଗି ଅନେକ ଯାନବାହନ ଚାଳକ ଠକେଇର ଶୀକାର ହୋଇଥିବା ଜଣାପଡ଼ିଛି

କେତେକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଅନଲାଇନ୍ ଡ୍ରାଇଭିଂ ଲାଇସେନ୍ସ ଆପ୍ଲିକେସନ ପୋର୍ଟାଲ୍ ଅନ୍ୟ ଏକ ପ୍ରାଇଭେଟ୍ ସର୍ଭିସ ପ୍ରୋଭାଇଡ଼ର୍ ନାମରେ ଏକ ୱେବସାଇଟ ଗୁଗୁଲରେ ଆସୁଛି । ଏହି ୱେବସାଇଟରେ ମୋଦୀ ଓ ସ୍ୱଚ୍ଛ ଭାରତ ଫଟୋ ରହିଥିବା କାରଣରୁ ଏହା ଏକ ଅସଲି ୱେବସାଇଟ ଭାବେ ଜାଣୁଛନ୍ତି । ମାତ୍ର ଏହା ଏକ ନକଲି ୱେବସାଇଟ ରୂପେ ଜଣାପଡ଼ିଛି । ଲୋକମାନେ ଏହି ୱେବସାଇଟରେ ଦିଆଯାଇଥିବା ଆକାଉଣ୍ଟରେ ପଇସା ପଇଠ କରି ଅଯଥା ଠକେଇର ଶୀକାର ହେଉଛନ୍ତି ବୋଲି ଅଭିଯୋଗ ଆସିଛି ।

ତେବେ ମିଳିଥିବା ସୂଚନାନୁଯାୟୀ, ଅନଲାଇନ ମାଧ୍ୟମରେ ଏହି ଫେକ୍ ୱେବସାଇଟ ଫର୍ମ ପୂରଣ କରିବା ପରେ ୧୯୫୦ ଟଙ୍କା ପଇଠ କରିବାକୁ ପରାମର୍ଶ ଦେଉଛି । ଆବେଦନକାରୀ ପଇସା ପଇଠ କରି ଠକେଇର ଶୀକାର ହେବା ସହିତ ହନ୍ତସନ୍ତ ହେଉଛନ୍ତି ।

ଏସମ୍ପର୍କରେ ସୂଚନାଦେଇ ରାଜ୍ୟ ପରିବହନ ବିଭାଗର କମିଶନର୍ ସଞ୍ଜୀବ ପଣ୍ଡା କହିଛନ୍ତି, ରାଜ୍ୟବାସୀ ଅନ୍ୟ କୌଣସି ୱେବସାଇଟ ବ୍ୟବହାର ନକରି ବରଂ paribahan.gov.in ନାମକ ୱେବସାଇଟ୍ ମାଧ୍ୟମରେ ଲାଇସେନ୍ସ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଅନଲାଇନ ମାଧ୍ୟମରେ ଯେଉଁବ୍ୟକ୍ତିମାନେ ଠକେଇ କରି ଅର୍ଥ ଆତ୍ମସାତ୍ କରୁଛନ୍ତି ଅଭିଯୋଗ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ କମିଶନର୍ ।

Leave A Reply

Your email address will not be published.