ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାର ସମସ୍ତ ପ୍ରକ୍ରିୟା ଶେଷ ହେଲା । ରବିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଶେଷ ହୋଇଛି । ଏହାପରେ ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ଏହି ତାଲିକାରେ ରହିଛନ୍ତି କେବଳ ଏନଡିଏ ସମର୍ଥିତ ଦ୍ରୌପଦଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ।
ସମୁଦାୟ ୯୪ଜଣ ୧୧୫ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେ ଭିତରୁ ୧୦୭ଟି ନାକଚ ବା ଖାରଜ ହୋଇଯାଇଛି । ପ୍ରାର୍ଥୀପତ୍ର ପାଇଁ ଆବଶ୍ୟକ ଯୋଗ୍ୟତା ବା ଧାର୍ଯ୍ୟ ମାନକ ପୂରଣ ହେଉନଥିବାରୁ ୧୦୭ଟି ପ୍ରାର୍ଥୀପତ୍ର ନାକଚ କରାଯାଇଛି ।
ଚୂଡ଼ାନ୍ତ ତାଲିକାରେ ରହିଥିବା ଉଭୟ ଦ୍ରୌପଦୀ ଏବଂ ଯଶୱନ୍ତ ୪ଟି ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ନାମାଙ୍କନ ବୈଧ ବୋଲି ଘୋଷଣା କରିଛନ୍ତି ସେକ୍ରେଟାରୀ ଜେନେରାଲ ପିସି ମୋଦି ।
ପ୍ରତ୍ୟାହାର ତାରିଖ ଆଗରୁ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇସାରିଥିଲା । କେବଳ ଅପେକ୍ଷା ଥିଲା ପ୍ରତ୍ୟାହାର । ଶେଷକୁ ଦୁଇ ଜଣ ମୁଖ୍ୟ ପ୍ରାର୍ଥୀ ରହିବାର ପ୍ରତ୍ୟାହାରର କିଛି ପ୍ରଶ୍ନ ନଥିଲା । କେବଳ ବିଧି ଅନୁଯାୟୀ ଘୋଷଣା ବାକି ଥିଲା ।
ଜୁଲାଇ ୧୮ରେ ସଂସଦ ଭବନର କୋଠରୀ ନଂ-୬୩ ଏବଂ ରାଜ୍ୟ ବିଧାନସଭା ଗୁଡ଼ିକର ଧାର୍ଯ୍ୟ ପ୍ରକୋଷ୍ଠରେ ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.