ଯୋଧପୁର: ରାଜସ୍ଥାନର କରୌଲୀ, ଯୋଧପୁର ଓ ଭୀଲୱାଡା ଗ୍ରାମରେ ସାମ୍ପ୍ରଦାୟିକ ହିଂସା ବେଳେ ଏଠାରେ ଏପରି ଏକ ଗ୍ରାମ ଅଛି ଯାହାକି ସମସ୍ତ ଜାତିର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଛି । ଏହି ଗ୍ରାମର ଲୋକମାନେ ନିଜ ନାମ ଆଗରେ କୌଣସି ଜାତିର ସାଜ୍ଞା ଲଗାନ୍ତି ନାହିଁ । ସମସ୍ତଙ୍କ ନାମ ଶେଷରେ ଗ୍ରାମର ଟାଇଟଲ ରହିଥାଏ । ଏହି ଗ୍ରାମର ନାମ ହେଲା ଇନାଣିଆ । ୧୩୫୮ରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଇନ୍ଦର ସିଂ ଏହି ଗ୍ରାମ ବସାଇଥିଲେ । ତାଙ୍କ ନାମ ଅନୁସାରେ ଗ୍ରାମର ନାମ ଇନାଣ ରଖା ଯାଇଥିଲା । ଆଉ ଏଠାରେ ରହୁଥିବା ସମସ୍ତ ବ୍ୟକ୍ତି ନିଜକୁ ଇନାଣିଆ ଭାବେ ପରିଚୟ ଦେଇଥାନ୍ତି । ଗ୍ରାମର ଜନସଂଖ୍ୟା ୧୦,୦୦୦ ପାଖାପାଖି ହେବ ।
ଏହି ଗ୍ରାମରେ କୌଣସି ପ୍ରକାର ନିଶା ଦ୍ରବ୍ୟ ବିକ୍ରି ହୁଏ ନାହିଁ । ସେହିପରି ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମରେ ଡିଜେ କିମ୍ବା କୌଣସି ଉଚ୍ଚ ଶବ୍ଦ କରୁଥିବା ବାଦ୍ୟ ବଜାଯାଏ ନାହିଁ । ମୃତ୍ୟୁ ପରେ ଏଠାରେ ପରିବାରଲୋକଙ୍କୁ ଭୋଜି ଦେବା ମନା । ସେହିପରି ବାଣ ଫୁଟାଇବା ପାଇଁ ମଧ୍ୟ ଏଠାରେ ଅନୁମତି ନାହିଁ । ଇନ୍ଦର ସିଂଙ୍କ ଆଉ ଜଣେ ଭାଇ ଗୋଟିଏ ଗାଇର ଜୀବନ ବଂଚାଇବାକୁ ଯାଇ ଶହୀଦ ହୋଇଥିଲେ । ସେବେଠାରୁ ତାଙ୍କୁ କୂଳଦେବତା ରୁପେ ପୂଜା କରାଯାଇଥାଏ । ଏହି ଗ୍ରାମର ଲୋକ ତାଙ୍କ ବ୍ୟକ୍ତିଗତ ଅଶାନ୍ତି ନେଇ କୌଣସି କୋର୍ଟ କଚେରୀ ଯାଆନ୍ତି ନାହିଁ । ଆପୋଷ ବୁଝାମଣା ଏବଂ ବୟସ୍କ ଲୋକଙ୍କ ପାଖରେ ସମସ୍ୟା ସମାଧାନ କରିଥାନ୍ତି । ଆଧୁନିକ ଯୁଗରେ ଏହି ଗ୍ରାମ ଅନ୍ୟମାନଙ୍କ ପାଇଁ ଏକ ପ୍ରକାର ପ୍ରେରଣା ଯୋଗାଇଛି ।
Comments are closed.